ବ୍ରିଟେନ୍‌ରେ ଘାତକ କରୋନା ଷ୍ଟ୍ରେନ୍ ଚିହ୍ନଟ

0

ଲଣ୍ଡନ : ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ କରୋନାର ନୂତନ ଷ୍ଟ୍ରେନ୍ ପୁଣି ବ୍ରିଟେନରେ ଚିହ୍ନଟ ହୋଇଛି। ନୂଆ ଷ୍ଟ୍ରେନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଏବେ ଏହା ଚିନ୍ତାର କାରଣ ହୋଇଛି। ବୁଧବାର ପ୍ରକାଶିତ ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ଅଧ୍ୟୟନରୁ ଜଣାପଡିଛି ବ୍ରିଟେନ୍‌ରେ ଚିହ୍ନଟ ନୂତନ ଷ୍ଟ୍ରେନ ପୂର୍ବର କରୋନା ପୂର୍ବ ଭାଇରସ୍ ତୂଳନାରେ ୩୦ରୁ ୧୦୦ ପ୍ରତିଶତ ଘାତକ ହୋଇପାରେ।

ସେହିପରି ବ୍ରିଟେନ୍‌ ଏକ୍ସେଟର ଓ ବ୍ରିଷ୍ଟଲ ବିଶ୍ଵ ବିଦ୍ୟାଳୟରେ ମହାମାରୀ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ନୂତନ ଷ୍ଟ୍ରେନରେ ପୀଡିତ ଲୋକ ଓ ଅନ୍ୟ ଷ୍ଟ୍ରେନରେ ସଂକ୍ରମିତ ଲୋକଙ୍କ ମୃତ୍ୟହାର ମଧ୍ୟରେ ତୂଳନା କରିଛନ୍ତି। ନୂତନ ଷ୍ଟ୍ରେନରେ ସଂକ୍ରମିତ ୫୪,୯୦୬ ଜଣଙ୍କ ମଧ୍ୟରୁ ୨୨୭ ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଗତବର୍ଷ ପ୍ରାରମ୍ଭରେ ଆତଙ୍କ ଖେଳାଇଥିବା ଷ୍ଟ୍ରେନରେ ସେହି ସମାନ ସଂକ୍ରମିତଙ୍କ ମଧ୍ୟରୁ ୧୪୧ ଜଣଙ୍କ ପ୍ରାଣହାନୀ ଘଟିଥିଲା।

ଏହି ବିଶ୍ଵ ବିଦ୍ୟାଳୟର ପ୍ରମୁଖ ଲେଖକ ରବର୍ଟ ଚାଲେନ କହିଛନ୍ତି କୋଭିଡ୍‌ର ନୂତନ ଷ୍ଟ୍ରେନ ବି.୧.୧.୭ ପୂର୍ବ କରୋନାଠୁ ଅଧିକ ସାଂଘାତିକ ଓ ଭୟାନକ। ଏହାକୁ ଅତି ଗୁରୁତର ଭାବେ ନିଆଯିବାର ଆବଶ୍ୟକତା ରହିଛି। କରୋନାର ଏହି ନୂତନ ସ୍ଵରୂପ ସର୍ବ ପ୍ରଥମେ ୨୦୨୦ ସେପ୍ଟେମ୍ବରରେ ଦେଖିବାକୁ ମିଳିଥିଲା। ଏହା ଅଳ୍ପ ସମୟରେ କ୍ଷୀପ୍ର ଗତିରେ ବ୍ୟାପିବାରୁ ଅନେକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା।

ସୂଚନାଯୋଗ୍ୟ ସମଗ୍ର ବିଶ୍ଵରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ କୋଟି ୮୭ ଲକ୍ଷ ୩୯ ହଜାର ୭୮୯ରେ ପହଞ୍ଚିଛି। ଏଥିମଧ୍ୟରୁ ୨୬ ଲକ୍ଷ ୩୪ ହଜାର ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୯ କୋଟି ୪୩ ଲକ୍ଷ ୨୬ ହଜାର ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.