ବୁଢ଼ି ଠାକୁରାଣୀ ଯାତ୍ରାକୁ ୭ ଦିନ ପାଇଁ ଅନୁମତି

ବ୍ରହ୍ମପୁର : ଚଳିତବର୍ଷ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରା ପାଇଁ ସାତଦିନ ଅନୁମତି ମିଳିଛି। ସୋମବାର ଶୁଭ ଖୁଣ୍ଟି ସ୍ଥାପନ ହେବ। ବିଏମ୍‌ସି କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯାତ୍ରା ଆୟୋଜକଙ୍କ ସହିତ ଆଲୋଚନା କରିବା ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଯାତ୍ରାକୁ ଅନୁମତି ଦିଆଯାଇଥିବା ଟ୍ୱିଟ୍‌ କରି ଜଣାଇଛନ୍ତି।

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଯାତ୍ରା ପାଇଁ ୭ ଦିନ ସମୟ ଦିଆଯାଇଛି। ଆଗକୁ କୋଭିଡ୍‌ ସ୍ଥିତି ଦେଖିବା ପରେ ସମୟ ବଢ଼ାଇବା ଦିଗରେ ପଦକ୍ଷେପ ନିଆଯିବ। ବାହାର ରାଜ୍ୟରେ ଏବେ କୋଭିଡ୍‌ ସ୍ଥିତି ସଂଗୀନ ହୋଇଛି। ତେଣୁ ବୁଢ଼ି ଠାକୁୁରାଣୀ ଯାତ୍ରାକୁ କଟକଣା ଭିତରେ କଲେ କରୋନା ଚେନ୍‌କୁ ଭାଙ୍ଗିପାରିବ।

ଅନ୍ୟପକ୍ଷରେ ଯାତ୍ରା ପାଇଁ ଏହି ସ୍ଵଳ୍ପ ସମୟକୁ ନେଇ ଆୟୋଜକ ଦୁର୍ଗାପ୍ରସାଦ ଦେଶୀବେହେରା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏତେ କମ ଦିନ ଭିତରେ ଯାତ୍ରା କରିବା ସମ୍ଭବ ନୁହେଁ। ଅତିକମ୍‌ରେ ୨୧ ଦିନ ସମୟ ମିଳିଲେ ପରମ୍ପରା ଅନୁସାରେ ଯାତ୍ରା ହୋଇପାରିବ। ନଚେତ୍‌ ଯାତ୍ରା ୨୦୨୩ରେ କରାଯିବ। ଏସ୍‌ଓପି ଓ ସମୟ ଅବଧି ସମ୍ପର୍କରେ ପ୍ରଶାସନ ପକ୍ଷରୁ ଚିଠି ହୋଇନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ କରିବାକୁ ଧାର୍ଯ୍ୟ ହୋଇଥିଲା। ଯାତ୍ରା ସମୟ ଅବଧି ସମ୍ପର୍କରେ ନିଷ୍ପତ୍ତି ନେବାକୁ ପ୍ରଶାସନକୁ କୁହାଯାଇଥିଲା। କାରଣ ଯାତ୍ରା ପାଇଁ ୨୧ ଦିନ ଆବଶ୍ୟକ ଆୟୋଜକ କହୁଥିବା ବେଳେ ପ୍ରଶାସନ ୭ଦିନ ଭିତରେ ସାରିବାକୁ କହିଥିଲେ। ଏହାକୁ ନେଇ ରାତି ୧୨ଟା ପର୍ଯ୍ୟନ୍ତ ବିଏମ୍‌ସି ଅଫିସିରେ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇନପାରିବାରୁ ଯାତ୍ରା ଶୁଭଖୁଣ୍ଟି ସ୍ଥାପନକୁ ଆୟୋଜକ ସ୍ଥଗିତ ରଖିଥିଲେ।

Leave a Reply

Your email address will not be published. Required fields are marked *

Back to top button