ଲକ୍ ଡାଉନ୍ ଅଞ୍ଚଳରେ ଦିନ୧୦ରୁ ୨ଟା ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ

Breaking News ବାଣିଜ୍ୟ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୧୪ଟି ଜିଲ୍ଲା ଓ କେତୋଟି ସହରକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସେଠାରେ ବ୍ୟାଙ୍କଗୁଡ଼ିକ ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଲକଡାଉନ୍ ଅଞ୍ଚଳରେ କୌଣସି ପରିସ୍ଥିତିରେ ବ୍ୟାଙ୍କ ଗୁଡ଼ିକ ଦିନ ୨ଟା ପୂର୍ବରୁ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁସାରେ ୨ଜଣରୁ କମ୍ ବା ୭ଜଣରୁ ଅଧିକ କର୍ମଚାରୀ ନିଜ ଶାଖାଗୁଡ଼ିକରେ ନିୟୋଜିତ କରିବେ ନାହିଁ। ଏଟିଏମ ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ ରହିବ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲା ବେଳେ ପୋଲିସ୍ ସୁରକ୍ଷା ଦିଆଯିବା ସହିତ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଧାରିତ ଫର୍ମରେ ସିଲ୍ ଓ ଦସ୍ତଖତ ଥିବା ପାସ୍ କର୍ମଚାରୀଙ୍କୁ ପ୍ରଦାନ କରିବେ। ସେମାନେ ନିଜର ପରିଚୟ ପତ୍ର ପୋଲିସକୁ ଦେଖାଇବେ।

ସେହିପରି ବ୍ୟାଙ୍କଗୁଡ଼ିକ ନିଜର ଗ୍ରାହକମାନଙ୍କୁ ବିକଳ୍ପ ମାଧ୍ୟମ ଯଥା ମୋବାଇଲ ବ୍ୟାଙ୍କି, ଇଣ୍ଟରନେଟ ବ୍ୟାଙ୍କି ଆଦି ବ୍ୟବହାର ପାଇଁ ଉତ୍ସାହିତ କରିବେ। ଏହି ଅବଧି ମଧ୍ୟରେ ନଗଦ ଜମା/ଉଠାଣ, ଏନଇଏଫଟି, ଚେକ୍ କ୍ଲିୟରିଂ, ସରକାରୀ ଟ୍ୟାକ୍ସ ସଂଗ୍ରହ ଆଦି ନିୟମିତ କାର୍ଯ୍ୟ ବ୍ୟାଙ୍କ ଜାରି ରଖିବେ। ବୀମା କମ୍ପାନୀଗୁଡ଼ିକ ସରକାରଙ୍କ ଏହି ନିୟମ ମାନିବେ। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀଗୁଡ଼ିକର କାର୍ଯ୍ୟକୁ ତଦାରଖ କରିବ।

ମତାମତ ଦିଅନ୍ତୁ ।