ବ୍ୟାଗ୍ ଭିତରୁ ମିଳିଲା ୩୦ ଲକ୍ଷ, ଯୁବକ ଅଟକ

ଭୁବନେଶ୍ୱର : ଅଖା ବ୍ୟାଗରୁ ଭିତରୁ ୩୦ ଲକ୍ଷ ଟଙ୍କା ଜବତ କରିଛି ଖଣ୍ଡଗିରି ପୋଲିସ। ଏହି ଘଟଣାରେ ମହାବୀର ପ୍ରସାଦ ଦାସ ନାମକ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି।

ଖବର ଅନୁଯାୟୀ ତପୋବନ ପେଟ୍ରୋଲ ପମ୍ପ ପାଖରେ ଟଙ୍କା ଭର୍ତ୍ତି ବ୍ୟାଗ ଧରି ମହାବୀର ଛିଡ଼ା ହୋଇଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ପୋଲିସ ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ତାଙ୍କୁ ଥାନାକୁ ନେଇଥିବା ବେଳେ ଏତେ ଟଙ୍କା କେଉଁଠୁ ପାଇଲେ ପଚରାଉଚରା କରୁଛି। ତେବେ ମହାବୀରଙ୍କ ସାଙ୍ଗ ପ୍ରଳୟ କୁମାର ପାଢ଼ୀ ଥାନାରେ ପହଞ୍ଚି ଟଙ୍କା ତାଙ୍କର ବୋଲି କହିଛନ୍ତି। ସେ ପାନ ମସଲା, ଗୁଟଖା ବେପାର କରନ୍ତି। ଲକ୍‌ଡାଉନ୍‌, ସଟଡାଉନ୍‌ ଯୋଗୁ ପାରଳାଖେମୁଣ୍ଡିରେ ତାଙ୍କର ଲକ୍ଷାଧିକ ଟଙ୍କା ବାକି ପଡ଼ିଥିଲା। ଏହି ଟଙ୍କା କଲେକସନ୍‌ କରିବାକୁ ସେ ସାଙ୍ଗ ମହାବୀରଙ୍କୁ ପଠାଇଥିଲେ। ମହାବୀର ସେଠାରୁ ୩୦ ଲକ୍ଷ ଟଙ୍କା ଆଣି ବସ୍‌ରେ ଆଜି ସକାଳେ ପହଞ୍ଚିଥିବା ବେଳେ ପୋଲିସ ତାକୁ ଅଟକ ରଖିଛି। ଏହି ଟଙ୍କାର ସମସ୍ତ ହିସାବ ଓ ଆବଶ୍ୟକ କାଗଜପତ୍ର ସେ ପୋଲିସକୁ ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ ଗତକାଲି କଟକ ନୟାସଡ଼କରେ ଥିବା ଏକ ଆଇଆଇଏଫଏଲ ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଲୁଟ୍ ହୋଇଥିଲା। ଏହି ଘଟଣାର ପୋଲିସ ଖୋଳତାଡ଼ କରୁଥିବା ବେଳେ ୩୦ ଲକ୍ଷ ଟଙ୍କା ମିଳିବାରୁ ପୋଲିସ ସନ୍ଦେହ କରୁଛି।

ମତାମତ ଦିଅନ୍ତୁ ।