ଚମକ ହରାଇଛି ସୂଚନା ଅଧିକାର ଆଇନ

॥ ଗୋପାଳ ମହାପାତ୍ର ॥
ଠିକ୍ ୧୫ବର୍ଷ ପୂର୍ବେ ଭାରତୀୟ ନାଗରିକମାନଙ୍କୁ ଉପହାର ସ୍ୱରୂପ ମିଳିଥିଲା ଏକ ଆଇନ୍ ଯାହାଦ୍ୱାରା ସରକାରଙ୍କ ଠାରୁ ସୂଚନା ପାଇବା ପାଇଁ ବାଟ ପ୍ରଶସ୍ତ କରିଦେଇଥିଲା । ଏହି ସୂଚନା ଅଧିକାର ଆଇନକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରିଥିଲେ । କେନ୍ଦ୍ର ସ୍ତରରେ ମୁଖ୍ୟ ସୂଚନା କମିଶନ ଓ ରାଜ୍ୟ ସ୍ତରରେ ସୂଚନା କମିଶନର ପଦବୀରେ ନିଯୁକ୍ତି ଦିଆଯାଇଥିଲା । ଏକ ନିର୍ଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ଏମାନଙ୍କ ସୁରକ୍ଷିତ ସେବାର ପ୍ରାବଧାନ ଥିଲା । ଯେଉଁ ସରକାରୀ ଅଧିକାରୀମାନେ ସୂଚନା ଅଧିକାର ଆଇନ ଅନୁସାରେ ସୂଚନା ପ୍ରଦାନ ନକରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଅଧିକାର ସୂଚନା କମିଶନରମାନଙ୍କୁ ଦିଆଯାଇଥିଲା । ଏକ ଦଶନ୍ଧି ପର୍ଯ୍ୟନ୍ତ ଏହି ଆଇନ ଠିକ୍ ଭାବରେ କାର୍ଯ୍ୟ କରିଥିଲା । କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରଠାରୁ ଏହି ଆଇନ ତା’ର ଚମକ ହଜାଇ ଦେଇଛି । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ଆଇନ ଏବେ ଦନ୍ତହୀନ ହୋଇପଡିଛି। ଗତବର୍ଷ ଜୁଲାଇ ମାସରେ ସୂଚନା ଅଧିକାର ଆଇନରେ କେତେକ ସଂଶୋଧନ କରାଯାଇଥିଲା । ସରକାର ସୂଚନା ପ୍ରଦାନ କରିବା ଅଥବା ପ୍ରଶ୍ନର ଉତ୍ତର ଦେବା କଥାକୁ ଯେ ନାପସନ୍ଦ କରୁଛନ୍ତି ଏକଥା ସଂଶୋଧନରୁ ସ୍ପଷ୍ଟ । ଏହି ଆଇନରେ ସରକାର ଏମିତି ସବୁ ସଂଶୋଧନ କଲେ ଯେ ଆଇନ ଦେଖିବାକୁ ବାଘ ହେଲେ ମଧ୍ୟ ତାର ଦାନ୍ତ ନାହିଁ ।

ଦେଶରେ କାର୍ଯ୍ୟ କରୁଥିବା କେତେକ ସ୍ୱେଚ୍ଛାସେବୀ ସଂଗଠନ ଓ ସୂଚନା ଅଧିକାର କର୍ମକର୍ତ୍ତାମାନଙ୍କ ତରଫରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ସୂଚନା କମିଶନଙ୍କ ମଧ୍ୟରୁ ତୃତୀୟାଂଶ ସୂଚନା କମିଶନଙ୍କ କାର୍ଯ୍ୟାଳୟରେ କେଉଁଠି ସୂଚନା କମିଶନର ନାହାଁନ୍ତି ଓ କେଉଁଠି କାର୍ଯ୍ୟାଳୟରେ କର୍ମଚାରୀ ନାହାଁନ୍ତି। ଅନ୍ୟପକ୍ଷରେ ଯେତିକି ସୂଚନା କମିଶନର ରହିବା କଥା ସେଥିମଧ୍ୟରୁ ଏକ ଚତୁର୍ଥାଂଶ ପଦବୀ ଦେଶରେ ଖାଲି ପଡିଛି। ଝାରଖଣ୍ଡ ଓ ତ୍ରିପୁରାର ସୂଚନା କମିଶନଙ୍କ କାର୍ଯ୍ୟାଳୟ ଏକ ପ୍ରକାର ନିର୍ଜିବ ହୋଇପଡିଛି। କାରଣ ଏଠାରେ ସୂଚନା କମିଶନର ଭାବେ କାହାରିକୁ ନିଯୁକ୍ତିୀ ଦିଆଯାଇନାହିଁ। ୯ଟି ରାଜ୍ୟରେ ସୂଚନା କମିଶନର ପଦବୀ ଖାଲିପଡିଥିବା ବେଳେ କେନ୍ଦ୍ରରେ ମୁଖ୍ୟ ସୂଚନା କମିଶନର ଭାବେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏସବୁ କାରଣରୁ ସୂଚନା କମିଶନଙ୍କ କାର୍ଯ୍ୟ ଧିମେଇ ଯିବା ସ୍ୱାଭାବିକ। ସାଧାରଣ ନାଗରିକମାନେ ମଧ୍ୟ ସଠିକ ସୂଚନା ପାଇପାରୁନାହାଁନ୍ତି । ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ଏହାର ପ୍ରସିଦ୍ଧି ବଢିଯାଇଥିଲା । ଏହାର ଉଦାହରଣ ହେଉଛି ଆଇନ କାର୍ଯ୍ୟକାରୀ ହେବାର ମାତ୍ର କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟର ସୂଚନା କମିଶନ ଓ କେନ୍ଦ୍ରୀୟ ସୂଚନା କମିଶନଙ୍କ ନିକଟରେ ୩୩ ନିୟୁତ ଆବେଦନ ପଞ୍ଜିକୃତ ହୋଇଥିଲା । ଏଥିମଧ୍ୟରୁ ୯୦ପ୍ରତିଶତ ଆବେଦନ ଉପରେ ଅପିଲ ମଧ୍ୟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ଯେ ଆବେଦନକାରୀମାନେ ସେମାନଙ୍କ ଆବେଦନ ପରେ ମିଳିଥିବା ଉତ୍ତର (ସୂଚନା) କାରଣରୁ ସନ୍ତୁଷ୍ଟ ଥିଲେ ।

ଭାରତୀୟ ଜନତା ପାର୍ଟି ସରକାରଙ୍କ ଠାରୁ ସୂଚନା ପାଇବା ପାଇଁ ଏହି ସୂଚନା ଅଧିକାର ଆଇନର ଅଧିକ ବ୍ୟବହାର କରିଛି ତଥା ୨୦୧୪ର ଲୋକସଭା ନିର୍ବାଚନ ବେଳେ ଏହି ଆଇନ ଅନୁସାରେ ପାଇଥିବା ସୂଚନାକୁ ମଧ୍ୟ ବ୍ୟବହାର କରିଛି। କିନ୍ତୁ ବିଡ଼ମ୍ବନା ଯେ ଶାସନ ଗାଦିକୁ ଆସିବା ପରେ ସେଇ ଦଳ (ବିଜେପି) ସୂଚନା ଅଧିକାର ଆଇନକୁ ହତୋତ୍ସାହିତ କରିବା ଆରମ୍ଭ କରିଦେଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଆଇନରେ ଯେଉଁ ସଂଶୋଧନ କରାଗଲା ତାହାଦ୍ୱାରା ସୂଚନା ମିଳିବାର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି । ସରକାର ସୂଚନା ଅଧିକାର ଆଇନର ଧାରା (ଖଣ୍ଡ) ୧୩ ଓ ୧୬ରେ ସଂଶୋଧନ କଲେ । ମୂଳ ଆଇନ ଅନୁସାରେ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ବର୍ଷ (୫ବର୍ଷ ଅଥବା ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ବୟସ ୬୫ବର୍ଷ ହେବା ପର୍ଯ୍ୟନ୍ତ ଯାହା ପ୍ରଥମେ ହେବ) ବୋଲି ନିର୍ଦ୍ଧାରିତ କରାଯାଇଥିଲା । କିନ୍ତୁ ସଂଶୋଧନ ପରେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । ସଂଶୋଧନ ପୂର୍ବର ଆଇନ ଅନୁସାରେ ମୁଖ୍ୟ ସୂଚନା ଅଧିକାର କମିଶନରଙ୍କ ବେତନ, ଭତ୍ତା ଓ ଅନ୍ୟ ସବୁ ସେବାର ସର୍ତ୍ତ ମୁଖ୍ୟ ନିର୍ବାଚନ କମିଶନରଙ୍କ ଭଳି ରହିବ ଓ ସୂଚନା କମିଶନରଙ୍କ ସେବା କାଳର ସର୍ତ୍ତ ନିର୍ବାଚନ କମିଶନରଙ୍କ ଭଳି ରହିବ । କିନ୍ତୁ ସଂଶୋଧନ ପରେ ଏବେ ବେତନ, ଭତ୍ତା ଏବଂ ସେବାର ସର୍ତ୍ତ (ମୁଖ୍ୟ ସୂଚନା କମିଶନର ଓ ସୂଚନା କମିଶନରଙ୍କର) କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ। ଏଥିରୁ ସ୍ପଷ୍ଟ ଯେ, ସରକାର ମୂଳ ଋପରେ କାର୍ଯ୍ୟକାଳ ଉପରେ ନିୟନ୍ତ୍ରଣ ଆଣି ସୂଚନା କମିଶନରଙ୍କ ଭୂମିକାରେ ପରିବର୍ତ୍ତନ କରିଛନ୍ତି ତଥା ବେତନ, ଭତ୍ତା ତଥା ସେବାର ଅନ୍ୟ ସର୍ତ୍ତକୁ ନିର୍ଦ୍ଧାରଣ କରିବାର କ୍ଷମତା ବା ଅଧିକାର ପାଇଛନ୍ତି।

କେବଳ ସେତିକି ନୁହେଁ ସଂଶୋଧନ ଅନୁସାରେ ଏସବୁ ସର୍ତ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ସବୁ ରାଜ୍ୟ ପାଇଁ ସ୍ଥିର କରାଯିବ ଏପରିକି ମୁଖ୍ୟ ସୂଚନା କମିଶନରଙ୍କ ସମେତ ସୂଚନା କମିଶନରମାନଙ୍କ ନିଯୁକ୍ତି କେନ୍ଦ୍ର ସରକାର କରିବେ । ରାଜ୍ୟ ସରକାରମାନେ ରାଜ୍ୟରେ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଉଥିଲେ ଏବେ କେନ୍ଦ୍ର ସରକାର ନିଯୁକ୍ତି ଦେବେ । ଏବେ କେନ୍ଦ୍ର ସରକାର କୃଷି କ୍ଷେତ୍ର ପ୍ରସଙ୍ଗରେ ଯେଉଁ ଆଇନ ପ୍ରଣୟନ କରିଛନ୍ତି ସେମ ଆଇନ୍ ଅନୁସାରେ ରାଜ୍ୟ ସରକାରମାନଙ୍କର କର୍ତ୍ତୃତ୍ୱ କିଛି ପରିମାଣରେ ହ୍ରାସ ପାଇଚି ଏହା ସଂଘବାଦ ସିଦ୍ଧାନ୍ତର ବିରୁଦ୍ଧାଚରଣ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ଆଇନ ପ୍ରଣୟନ କରି ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ହ୍ରାସ ପାଇଁ ଉଦ୍ୟମ ଚଳାଇଛନ୍ତି । ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ସରକାର ସୂଚନା ଅଧିକାର ଆଇନକୁ ଏକ ଝଟକାରେ ଚମକହୀନ, ଦନ୍ତହୀନ କରି ଦେଇଛନ୍ତି ଯାହା ଆଦୌ ଶୁଭ ସଙ୍କେତ ନୁହେଁ।

ରାମଚନ୍ଦ୍ରପୁର, ରଣପୁର
ମୋ- ୯୪୩୮୪୮୫୦୯୪

ମତାମତ ଦିଅନ୍ତୁ ।