ଚାନ୍ଦବାଲି: ଖଟିଆରେ ବୁହା ହେଲେ ରୋଗୀ

ଚାନ୍ଦବାଲି : ରାଜ୍ୟର କୌଣସି ପାହାଡିଆ ଅଞ୍ଚଳର ଘଟଣା ନୁହେଁ। ଗାଁ’କୁ ଭଲ ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୁହାଯାଇଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହୀରା ପଞ୍ଚାୟତ ବିଲ ନୂଆଗାଁରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ବିଲନୂଆଗାଁର ସୁରେନ୍ଦ୍ର ବିଶ୍ୱାଳଙ୍କ ପୁଅ ଦିଲୀପ ବିଶ୍ୱାଳ କିଡ଼ିନ୍ କ୍ୟାନସରରେ ପୀଡ଼ିତ। ରୋଗ ଶଯ୍ୟାରେ ଥିବା ଦିଲୀପଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିରୁ ପରିବାର ଲୋକେ ମେଡ଼ିକାଲ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଗାଁ’ ପର୍ଯ୍ୟନ୍ତ ଆସିପାରିଲାନି। ଗାଁ’ଠାରୁ ଦେଢ଼ କିଲୋମିଟର ଦୂରରେ ରହିଥିଲା। ଯାହାଫଳରେ ପରିବାର ଓ ଗ୍ରାମବାସୀ ଦିଲୀପଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।

କେବଳ ଇଏ ଗୋଟିଏ ଘଟଣା ନୁହେଁ। ରାସ୍ତା ଖରାପ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ବର୍ଷା ଦିନ ଆସିଲେ ଦୁର୍ଦ୍ଦଶା ବହୁଗୁଣିତ ହେଉଛି। ଗାଁରେ ନିଆଁ ଲାଗିଲେ ଦମକଳ ଗାଡ଼ି ପହଞ୍ଚିପାରୁନି। ଏଥିପ୍ରତି କାହାରି ନଜର ପଡୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।