ଛତୁର କିଲୋ ୧୨୦୦ ଟଙ୍କା

ରାଞ୍ଚି : କେବଳ ଶ୍ରାବଣ ମାସରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ଜଙ୍ଗଲରୁ ମିଳୁଛି ଏକ ପ୍ରକାରର ଛତୁ। ଯାହାକୁ ଦାମ ଟିକେ ମହଙ୍ଗା। ଏଥିରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ୍ ଥିବାରୁ ଏକ କିଲୋର ଦାମ ୧୨୦୦ ଟଙ୍କାରେ ବିକ୍ରି ହୋଇଥାଏ। ବଜାରରେ ଏହାର ଚାହିଦା ମଧ୍ୟ ଅଧିକ। ଆସିବାକ୍ଷଣି ସଙ୍ଗେ ସଙ୍ଗେ ବିକ୍ରି ହୋଇଯାଏ।

ଛତିଶଗଡ଼ରେ ଏହାକୁ କୁହାଯାଏ ଖୁଖଡ଼ି। ଝାଡ଼ଖଣ୍ଡରେ ନାଁ ରୁଗଡ଼ା। ଏହି ଦୁଇଟି ଛତୁ ଏକ ପ୍ରକାରର। ଜଙ୍ଗଲରୁ ମିଳୁଥିବା ଏହି ଛତୁକୁ ଦୁଇଦିନ ମଧ୍ୟରେ ରୋଷେଇ କରି ଖାଇବାକୁ ପଡ଼ିଥାଏ। ନଚେତ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି। ଛତିଶଗଡ଼ର ବଳରାମପୁର, ସୂରଜପୁର, ସରଗୁଜା ସମେତ ଉଦୟପୁରକୁ ଲାଗିଥିବା କୋରବା ଜିଲ୍ଲାର ଜଙ୍ଗଲରୁ ବର୍ଷା ଦିନେ ମିଳିଥାଏ ପ୍ରାକୃତିକ ଖୁଖଡ଼ି। ଜଙ୍ଗଲରେ ରହୁଥିବା ଲୋକେ ଏହାକୁ ସଂଗ୍ରହ କରନ୍ତି। ଛତିଶଗଡ଼ର ଅମ୍ବିକାପୁର ସହିତ ଅନ୍ୟ ନଗରରୁ ଦଲାଲମାନେ ଏହାକୁ କମ୍ ଦାମରେ କିଣି ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି କରନ୍ତି। ପ୍ରତିଦିନ ଅମ୍ବିକାପୁର ବଜାରରୁ ପାଖାପାଖି ୫ କ୍ଵିଣ୍ଟାଲ୍ ଯୋଗାଣ ହୋଇଥାଏ।

ଖୁଖଡ଼ି ଏକ ପ୍ରକାରର ଧଳା ଛତୁ। ଏହାର ଅନେକ ପ୍ରଜାତି ଓ କିସମ ରହିଛି। କିନ୍ତୁ ଲମ୍ବା ଡେମ୍ଫ ଥିବା ସୋରବା ଖୁଖଡ଼ି ଲୋକଙ୍କର ଅଧିକ ପସନ୍ଦ। ଏହାକୁ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଶ୍ରାବଣ ମାସରେ ଝାଡ଼ଖଣ୍ଡ ଲୋକେ ମାଛମାଂସ ଖାଇବା ବନ୍ଦ କରି ଖୁଖଡ଼ି ଖାଆନ୍ତି। ଚିକେନ ଓ ମଟନର ଏହା ହୁଏ ବିକଳ୍ପ। ରାଞ୍ଚିରେ ଏହାର ମୂଲ୍ୟ ୭୦୦ରୁ ୮୦୦ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳେ।

କେବଳ ସେତିକି ନୁହେଁ ଏହି ଛତୁକୁ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। କୁହାଯାଏ ବର୍ଷା ଦିନେ ବିଜୁଳି ମାରିଲେ ପୃଥିବୀ ଫାଟିଥାଏ। ଏହି ସମୟରେ ପୃଥିବୀ ଭିତରୁ ଧଳା ରଙ୍ଗର ଖୁଖଡ଼ି ବାହାରିଥାଏ। ପଶୁ ଚରାଳିମାନେ ଖୁଖଡ଼ିକୁ ଭଲ ଭାବେ ଚିହ୍ନିଥାନ୍ତି। ଜଙ୍ଗଲର କେଉଁ ସ୍ଥାନରେ ଖୁଖଡ଼ି ମିଲିବ ସେମାନକୁ ଜଣାଥାଏ।

ମତାମତ ଦିଅନ୍ତୁ ।