ଚୀନ ଗୁଇନ୍ଦାଗିରିର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଚୀନ କମ୍ପାନୀ ଦ୍ଵାରା ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଭାରତର ୧୦ ହଜାରରୁ ଉର୍ଦ୍ଧ୍ଵ ବିଶିଷ୍ଟ ବ୍ୟକ୍ତି ଓ ସଂଗଠନର ଗୁଇନ୍ଦାଗିରିର ଯାଞ୍ଚହେବ। ଏଥିପାଇଁ ଏକ୍ସପର୍ଟ କମିଟି କମିଟି ଗଠନ କରାଯାଇଛି। ଏହି କମିଟି ଏକ ମାସ ଭିତରେ ସରକାରଙ୍କୁ ରିପୋର୍ଟ ଦେବେ।

ସୂତ୍ର ଅନୁଯାୟୀ ଚୀନ କମ୍ପାନୀ ଜେନହୁଆ ଡାଟା ଲିକ୍‌ ମାମଲାରେ ସରକାର ଏହି ରିପୋର୍ଟକୁ ଅଧ୍ୟୟନ, ମୂଲ୍ୟାଙ୍କନ ଓ ଆଇନର ଉଲ୍ଲଂଘନର ଆକଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ସାଇବର ସିକ୍ୟୁରିଟି କୋଅର୍ଡିନେଟର ଆଧାରରେ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ସରକାର ବିନା ଅନୁମତିରେ ଦେଶର ନାଗରିକଙ୍କ ତଥ୍ୟ ବିଦେଶକୁ ପଠାଯିବା ଓ ବିଶିଷ୍ଟ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରାଯିବା ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରସଙ୍ଗ ଚୀନ ରାଷ୍ଟ୍ରଦୂତ ସମ୍ମୁଖରେ ଉଠାଇଛି। ଏହାର ଜବାବରେ ଚୀନ କହିଛି ଜେନହୁଆ ଏକ ଘରୋଇ କମ୍ପାନୀ ଓ ନିଜର ସ୍ଥିତିକୁ ସାର୍ବଜନୀନ ଭାବେ ଦର୍ଶାଇ ସାରିଛି।

ଇଣ୍ଡିଆନ ଏକ୍ସପ୍ରେସ୍‌ ଖବର କାଗଜ ଏନେଇ ରିପୋର୍ଟ କରିବା ପରେ କଂଗ୍ରେସ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲା। କଂଗ୍ରେସ ସାଂସଦ କେସି ବେଣୁଗୋପାଳ ଓ ରାଜୀବ ସାତବ ରାଜ୍ୟସଭାର ଶୂନ୍ୟକାଳରେ କହିଥିଲେ ଚୀନର ଡିଜିଟାଲ ଆକ୍ରମଣର ମୁକାବିଲା ପାଇଁ ସରକାର ମଜବୁତ ବ୍ୟବସ୍ଥା କରିବା ଉଚିତ୍। ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଏହା ଉପରେ ଧ୍ୟାନ ଦେଇ ସମ୍ବନ୍ଧିତ ମନ୍ତ୍ରୀଙ୍କୁ ଏହାର ସୂଚନା ଦେବାକୁ କହିଥିଲେ।

ମତାମତ ଦିଅନ୍ତୁ ।