ଋଷର ବ୍ଲାଦିବେସ୍ତୋକ ସହର ଉପରେ ଚୀନର ଆଖି

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁଁ ହାହାର ସୃଷ୍ଟି ହୋଇଥିବାବେଳେ ଅନେକ ବଡ଼ ବଡ଼ ଦେଶ ଚୀନକୁ ଦାୟୀ କରିଛନ୍ତି । ମାତ୍ର ଧୁର୍ତ ଚୀନ ଏହାକୁ ଅସ୍ୱୀକାର କରୁଥିବାବେଳେ ତାର ବିସ୍ତାରବାଦୀ ଆଚରଣରେ କୌଣସି ପରିବର୍ତନ ଆଣୁନାହିଁ । ଚୀନ ଲଗାତାର ତାର ପଡ଼ୋଶୀ ଦେଶମାନଙ୍କ ସହ ସୀମା ବିବାଦରେ ଲିପ୍ତ ରହିଛି । ପ୍ରଥମେ ମ୍ୟାନମାର୍‌, ଭାରତ, ଜାପାନ ଓ ଏବେ ଋଷ ସହ ସୀମା ବିବାଦ ଆରମ୍ଭ କରିଛି । ଚୀନ ଋଷର ଏକ ସହର ବ୍ଲାଦିବେସ୍ତୋକକୁ ନିଜର ବୋଲି ଦାବି କରିଛି ।
ଋଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ପାର କରିଥିବାବେଳେ ଭାରତ ତଳକୁ ଋଷ ଚତୁର୍ଥ ସ୍ଥାନରେ ରହିଛି । ତେବେ ଋଷ ଏନେଇ କେବେବି ଚୀନକୁ ଦୋଷାରୋପ କରିନାହିଁ । ଚୀନ ଆମେରିକାର ଶତ୍ରୁ ହୋଇଥିବାରୁ ଶତ୍ରୁର ଶତ୍ରୁ ବନ୍ଧୁ ବୋଲି ଭାବି ଋଷ ନୀରବ ରହିଛି । ତେଣୁ ଋଷ ହଙ୍ଗକଙ୍ଗ ମାମଲା ହେଉ କିମ୍ବା ତାଇୱାନ, ତିବତ ଓ ଦକ୍ଷିଣ ଚୀନ ସାଗର ମାମଲାରେ ଚୀନ ଉପରେ କୌଣସି ଟିପ୍ପଣୀ କରିନାହିଁ । ମାତ୍ର ଚୀନ କେବେବି ତାର ଜମି ଅକ୍ତିଆର କରିବା ଚରିତ୍ର ବଦଳାଇବା ଭଳି ଲାଗୁନାହିଁ । ବ୍ଲାଦିବେସ୍ତୋକ ଉପରେ ଦାବି କରି ଚୀନ କେବଳ ଋଷ ସହିତ ଶତ୍ରୁତା କରିନାହିଁ ବରଂ ନିଜର ବନ୍ଧୁ ସହିତ ବିଶ୍ୱାସଘାତକତା କରିଛି । ତେବେ ଚୀନ ନିଜର ଏକମାତ୍ର ଶକ୍ତିଶାଳୀ ଦେଶ ସହିତ ଏପରି ଶତ୍ରୁତାପୂର୍ଣ୍ଣ ଆଚରଣ କରିବା ପଛରେ ରହିଛି ଲୋଭ । ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଋଷର ଏହି ସହରକୁ ବ୍ୟବସାୟର ପେଣ୍ଠସ୍ଥଳୀ ବୋଲି କୁହାଯାଇଥାଏ । ଏଠାରୁ ବିଭିନ୍ନ ଦେଶକୁ ବ୍ୟବସାୟ କରିବାରେ ସହଜ ହୋଇଥାଏ । ଋଷର ଅଧିକାଂଶ ବ୍ୟବସାୟ ବ୍ଲାଦିବେସ୍ତୋକ ଦେଇ ହେଉଥିବାବେଳେ ଋଷ ନୌସେନାର ସବୁଠୁ ବଡ଼ ବେସ୍ ଏଠାରେ ରହିଛି । ଋଷର ସମୁଦ୍ର ସୀମାରେ ଲାଗୁଥିବା ସମସ୍ତ ଅଂଚଳଠାରୁ ବ୍ଲାଦିବେସ୍ତୋକରେ ବ୍ୟବସାୟ ପାଇଁ ଉପଯୁକ୍ତ ବାତାବରଣ ରହିଛି । ୧୮୬୦ରେ ସ୍ଥାପିତ ହୋଇଥିବା ଏହି ସହର ୧୬୦ବର୍ଷରେ ପଦାର୍ପଣ କରିଛି । ମାତ୍ର ଚୀନ ନିଜର କୁଟୀଳ ପ୍ରବୃତି ଜରିଆରେ ସେଠାରେ ବିଶୃଙ୍ଖଳା ସୃଷ୍ଟିକରି ଏହାକୁ ହାତେଇବାକୁ ଲକ୍ଷ ରଖିଛି ।

ମତାମତ ଦିଅନ୍ତୁ ।