ଚୀନ ସୈନିକ ଗିରଫ

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଲଦାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଏହିଭଳି ପରିସ୍ଥିତିରେ ଜଣେ ଚୀନ ସୈନିକକୁ ଆଜି ଭାରତୀୟ ସେନା ଗିରଫ କରିଛି। ସେ ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି।

ଭାରତୀୟ ସେନା ସୂତ୍ରରୁ ମିଳିଥିବା ସୂଚନା ହେଲା ଲଦାଖର ଡେମଚୋକ୍ ଅଂଚଳରୁ ଚୀନ ସୈନିକକୁ ଗିରଫ କରାଯାଇଛି। ତଲାସୀ ବେଳେ ତା ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଛି। କିନ୍ତୁ କୌଣସି ମାରଣାସ୍ତ୍ର ମିଳିନାହିଁ। ସେ ନିଜର ଚମରୀ ଗାଈ ସନ୍ଧାନରେ ଏପଟକୁ ଆସିଥିବା କହୁଛି। ଅନ୍ୟପକ୍ଷରେ ସେ ଚୀନର ଜଣେ ଗୁଇନ୍ଦା କି ନୁହେଁ ସେ ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଅଜାଣତରେ ସୀମା ଏପଟକୁ ପଳାଇଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେନା ପକ୍ଷରୁ କୁହାଯାଇଛି ଗିରଫ ସୈନିକର ନାମ କର୍ପୋରାଲ ୱାଙ୍ଗ ୟା ଲଙ୍ଗ। ତାକୁ ଖାଦ୍ୟ ଓ ଶୀତବସ୍ତ୍ର ପ୍ରଦାନ କରାଯାଇଛି। ଆବଶ୍ୟକ ପ୍ରକ୍ରିୟା ପରେ ଚୀନର ପିଏଲଏକୁ ହସ୍ତାନ୍ତର କରାଯିବ।

ମତାମତ ଦିଅନ୍ତୁ ।