ଅମିତ ଶାହାଙ୍କୁ ନୋଟିସ୍

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ଆଗତ ହୋଇଥିବା ମାନହାନି ମାମଲାରେ କେନ୍ଦ୍ର ସ୍ୱରାଷ୍ଟ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଶ୍ଚିମବଙ୍ଗର ଏକ ସ୍ୱତନ୍ତ୍ର ଅଦାଲତ (ସାଂସଦ/ ବିଧାୟକ କୋର୍ଟ) ନୋଟିସ୍ ଜାରି କରି ଆସନ୍ତା ଫେବ୍ରୁଆରି ୨୨ ତାରିଖ ସକାଳ ୧୦ ଟା ସମୟରେ ବ୍ୟକ୍ତିଗତ ଭାବେ କିମ୍ବା ନିଜର ଓକିଲଙ୍କ ଜରିଆରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି।
ଏ ସଂପର୍କରେ ସୂଚନା ଦେଇ ସାଂସଦ ଅଭିଷେକ ବାନାର୍ଜୀଙ୍କ ଓକିଲ ସଞ୍ଜୟ ବସୁ ଗଣମାଧ୍ୟମକୁ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ୧୧ ଅଗଷ୍ଟ ୨୦୧୮ରେ କୋଲକାତାର ମାୟୋ ରୋଡରେ ଆୟୋଜିତ ଏକ ରାଲିରେ ଅଂଶଗ୍ରହଣ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଟିଏମସି ସାଂସଦଙ୍କ ବିରୋଧରେ ବଦନାମ ଓ ଅପମାନ ସୂଚକ ମନ୍ତବ୍ୟ ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଏପ୍ରକାର ଆଚରଣକୁ ବିରୋଧ କରି ସାଂସଦ ଅଭିଷେକ ବାନାର୍ଜୀ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୫୦୦ ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ଶାହାଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ। ପଶ୍ଚିମବଙ୍ଗର ଏକ ସ୍ୱତନ୍ତ୍ର ଅଦାଲତର (ସାଂସଦ/ ବିଧାୟକ କୋର୍ଟ) ବିଚାରପତି ଆଜି (ଶୁକ୍ରବାର) ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତା ଫେବ୍ରୁଆରି ୨୨ ତାରିଖ ସକାଳ ୧୦ ଟା ସମୟରେ ଅମିତ ଶାହାଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ତାଙ୍କର ଓକିଲଙ୍କ ଜରିଆରେ ହାଜର ହେବା ପାଇଁ ସମନ ଜାରି କରିଛନ୍ତି।