କଟକ : ପଟ୍ଟାପୋଲ ସିଲ୍, ସଟ୍‌ଡାଉନ୍‌ ନିୟମ ଭାଙ୍ଗି ଢେଲାମାଡ କରିଥିବା ଯୁବକ ଅଟକ

Breaking News ଅପରାଧ

ଭୁବନେଶ୍ଵର : କରୋନା ସଂକ୍ରମଣ ରୋକିବା ପାଇଁ କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ ବା ସିଏମ୍‌ସି ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରି ସିଲ୍ କରାଯାଇଛି। ବକ୍ସି ବଜାର ଛକରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଯାଏଁ ସିଲ୍ ରହିବ। ସେହିଭଳି ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍, ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପାର୍କ, ତିନିକୋଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ଯାଏ ସିଲ୍ କରାଯିବ। ତେଣୁ ପଟ୍ଟାପୋଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ସମ୍ପୃକ୍ତ ସିଲ୍ ଅଞ୍ଚଳରେ ଯାନବାହନ ଚଳାଚଳ ମନା ଥିବାବେଳେ କୌଣସି ବ୍ୟକ୍ତି ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିଲ୍ ଅଞ୍ଚଳରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ କଟକ ମହାନଗର ନିଗମ ପହଞ୍ଚାଇବ ବୋଲି କୁହାଯାଇଛି। ସମସ୍ତ ବ୍ୟବସ୍ଥାର ପରିଚାଳନା ପାଇଁ ୨ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ନେଇ ସିଏମ୍‌ସି ଟିମ୍ ଗଠନ କରିଛି। ୧୩ଟି ଟିମ୍‌ କଣ୍ଟାକ୍ଟ ଟ୍ରାସିଂରେ ନିୟୋଜିତ ହୋଇଛନ୍ତି। କଟକରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ପୂର୍ବରୁ ଘୋଷଣା କରାଯାଇଥିଲା। ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍‌ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି।

ଅନ୍ୟପକ୍ଷରେ କଟକରେ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଥିବା ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି କେଶରପୁର ଅଞ୍ଚଳରେ କିଛି ଲୋକ କଟକଣା ଭାଙ୍ଗି ପୋଲିସ ଉପରକୁ ଢେଲାପଥର ମାଡ଼ କରିଛନ୍ତି। ଢେଲାମାଡ଼ ପରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ଲାଠିଚାର୍ଜ କରିଥିବା ବେଳେ ୧୫ରୁ ଅଧିକ ଆକ୍ରମଣକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କଟକ ଡିସିପି ଅଖିଳେଶ୍ ସିଂ ପହଞ୍ଚି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ସେହିପରି ଶନିବାର କଟକରେ ଜଣେକରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ସହରକୁ ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଓଡ଼ିଆ ବଜାର ନିକଟରେ ପୋଲିସ୍‌ ଫୋର୍ସ ରୁଟ୍ ମାର୍ଚ୍ଚ କରୁଥିବା ବେଳେ ପାଖାପାଖି ୩୫ ଯୁବକ ସଂଘବଦ୍ଧ ହୋଇ ଗାଳିଗୁଲଜ ଓ ଢେଲାମାଡ଼ କରିଥିଲେ। ପୋଲିସ କର୍ମୀ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଏହି ଘଟଣାରେ ସାମିଲ ଥିଲେ ଓଡ଼ିଆ ବଜାର, ମାଇକା ଲେନ ଓ ଦିୱାନ ବଜାର ଅଞ୍ଚଳର ଯୁବକ। ତେବେ ଏ ସଂକ୍ରାନ୍ତରେ ଥାନାରେ ଏତଲା ହୋଇଥିବା ଆଇଆଇସି ଆଶୁତୋଷ ମିଶ୍ର ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।