କଶ୍ମୀରରେ ୯ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ଦୁଇଟି ଘଟଣାରେ ୫ଜଣ ଅନୁପ୍ରବେଶକାରୀଙ୍କୁ ମିଶାଇ ୯ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଯବାନ ସହିଦ ହୋଇଛନ୍ତି। ରବିବାର ସରକାରୀ ଅଧିକାରୀମାନେ ଏକ ବିବୃତିରେ କହିଛନ୍ତି ଶନିବାର ଦକ୍ଷିଣ କଶ୍ମୀର ଅନ୍ତର୍ଗତ କୁଲଗାମର ବଟପୁରା ଠାରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଆଜି କୁପୱାଡ଼ାର କେରନ ସେକ୍ଟର୍ ନିକଟ ନିୟନ୍ତ୍ରଣ ରେଖା ଠାରେ ପାଞ୍ଚଜଣ ଅନୁପ୍ରବେଶକାରୀଙ୍କୁ ନିପାତ କରାଯାଇଛି। ଭାରତୀୟ ସେନାବାହିନୀର ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଲିଆ କହିଛନ୍ତି ସାଧାରଣ ନାଗରିକମାନଙ୍କ ହତ୍ୟାରେ ଜଡ଼ିତ ୪ଜଣ ଆତଙ୍କବାଦୀଙ୍କୁ ଏପ୍ରିଲ ୪ ତାରିଖରେ ଦକ୍ଷିଣ କଶ୍ମୀରର ବଟପୁରା ଅଞ୍ଚଳରେ ନିପାତ କରାଯାଇଥିଲା। କେରନ ସେକ୍ଟରରେ ପ୍ରତିକୂଳ ପାଗ ଓ ପଥୁରିଆ ଅଞ୍ଚଳକୁ ଭ୍ରୁକ୍ଷେପ ନକରି ସେନାର ଯବାନମାନେ ୫ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ଖରାପ ପାଗର ଲାଭ ଉଠାଇ ଯେଉଁ ଆତଙ୍କବାଦୀମାନେ କଶ୍ମୀର ଉପତ୍ୟକା ମଧ୍ୟକୁ ପ୍ରବେଶ କରିଥିଲେ ସେମାନେ ଆଜି ନିହତ ହୋଇଥିବା ପାଞ୍ଚଜଣ ଅନୁପ୍ରବେଶକାରୀଙ୍କ ଦଳର ହୋଇଥିବେ ବୋଲି ବିଶ୍ୱାସ କରାଯାଉଛି। ଏହି ଅଭିଯାନରେ ଜଣେ ଯବାନ ସହିଦ ହୋଇଛନ୍ତି। ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ ହୋଇଛନ୍ତି। ପ୍ରବଳ ତୁଷାରପାତ ଓ ବନ୍ଧୁର ଭୂଇଁ ଯୋଗୁଁ ଆହତ ଯବାନମାନଙ୍କୁ ସ୍ଥାନାନ୍ତରଣ କରିବାରେ ବାଧା ଆସିଥିଲେ ହେଁ ଅନ୍ୟ ଆତଙ୍କବାଦୀମାନଙ୍କୁ ଖୋଜା ଚାଲିଥିବା ସେ କହିଛନ୍ତି।

ମତାମତ ଦିଅନ୍ତୁ ।