ଦୀପ ଜଳାଇବା ପରିବର୍ତ୍ତେ ଗୁଳି ଫୁଟାଇଲେ ବିଜେପି ନେତ୍ରୀ

Breaking News ଅପରାଧ

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଭାଇରସ୍ ମୁଣ୍ଡ ନେଇ ଚାଲିଛି। ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ପାଇଁ ଦେଶବାସୀ ଏକଜୁଟ ହେବା ସହିତ ଗତକାଲି (ରବିବାର) ରାତି ୯ଟାରେ ୯ ମିନିଟ ଆଲୋକ ବନ୍ଦକରି ଦୀପ, ମହମବତୀ ଓ ଟର୍ଚ ଲାଇଟ ଜଳାଇବାକୁ ଆହ୍ୱାନ ଦେଇଥିଲେ। ଏହାକୁ ଦେଶର ଜନସାଧାରଣ ପାଳନ କରିଥିବା ବେଳେ ବିଜେପିର ଜଣେ ନେତ୍ରୀ ନିଆରା ଢଙ୍ଗରେ ପଲିଛନ୍ତି। ଦୀପ ଜାଳିବା ବଦଳରେ ସେ ବନ୍ଧୁକରୁ ଗୁଳି ଫୁଟାଇଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଭିନ୍ନ ଢଙ୍ଗରେ ପାଳିଥିବା ବିଜେପି ନେତ୍ରୀ ଜଣକ ହେଲେ ଉତ୍ତର ପ୍ରଦେଶ ବଳରାମପୁର ଜିଲ୍ଲା ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ମଞ୍ଜୁ ତିୱାରୀ। ତାଙ୍କ କହିବା ଅନୁଯାୟୀ ଉତ୍ସାହିତ ହୋଇ ଫାୟାରିଂ କରିଦେଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସେ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ବିବାଦୀୟ ହୋଇ ନେତ୍ରୀଜଣକ କ୍ଷମା ମାଗିଛନ୍ତି। ସେ ସଫେଇ ଦେଇ ଲୋକଙ୍କୁ କ୍ଷମା ମାଗିଥିବା ବେଳେ କହିଛନ୍ତି କାଲି ଯେତେବେଳେ ମୁଁ ଘରୁ ବାହାରିଲି ଚାରିଆଡେ ଦୀପାବଳି ଭଳି ପରିବେଶ ଦେଖି ଉତ୍ସାହିତ ହୋଇଯାଇଥିଲି। ତେଣୁ ଫାୟାରିଂ କରିଦେଲି। ଏଥିପାଇଁ ମୁଁ ଖୁବ୍ ଦୁଃଖୀ ଓ ଲଜ୍ଜିତ। ବଞ୍ଚିଥିବା ପର୍ଯ୍ୟନ୍ତ ଏଭଳି ଭୁଲ କରିବିନି। ହେଲେ ଭିଡିଓକୁ ଦେଖି ପୋଲିସ ମାମଲା ରୁଜୁ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏଇ ମଉକାରେ ୟୁପି କଂଗ୍ରେସ ବିଜେପିକୁ ଟାର୍ଗେଟ କରିବା ସହିତ ନେତା ଆଇନ ଭାଙ୍ଗୁଛନ୍ତି ବୋଲି ଅଭିଯୋଗ କରିଛି।

ମତାମତ ଦିଅନ୍ତୁ ।