ବିଧବାଙ୍କୁ ଏକତରଫା ପ୍ରେମ; ବଳି ପଡ଼ିଲା ପୁଅ

ଲକ୍ଷ୍ନୌ: ପ୍ରେମ ଅନ୍ଧ ହୋଇଥାଏ । ଥରେ ପ୍ରେମରେ ପଡ଼ିଲେ ଜାତି, ଧର୍ମ, ବୟସ କିଛି ଦେଖାଯାଇ ନ ଥାଏ । ନିଜର ପ୍ରେମକୁ ପାଇବାକୁ ଯେ କୌଣସି ସୀମା ପାର କରିବାକୁ ପଛାଇ ନଥାନ୍ତି ପ୍ରେମୀ ଯୁଗଳ। ତେବେ ପ୍ରେମ ଯଦି ଏକ ତରଫା ହୋଇଥାଏ ତାହାଲେ ଏହାର ପରିଣତି ଭୟଙ୍କର ହୋଇଥାଏ । ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଠାକୁର ଗଞ୍ଜ ଅଂଚଳରେ । ସେଠାକାର ଜଣେ ଇଲେକ୍‌ଟ୍ରିସିଆନ୍ ପ୍ରେମରେ ଏତେ ଅନ୍ଧ ହୋଇଯାଇଥିଲେ ଯେ, ସେ ନିଜର ପଡ଼ୋଶୀଙ୍କୁ ପାଇବା ଆଶାରେ ତାଙ୍କର ୧୧ ବର୍ଷୀୟ ପୁଅକୁ ମାରିବାକୁ ପଛାଇ ନ ଥିଲେ । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତକୁ ବହୁ କଷ୍ଟରେ ଧରିବାରେ ସଫଳ ହୋଇଛି ।

ପୁଲିସ୍ ସୂଚନା ଅନୁସାରେ ଠାକୁରଗଞ୍ଜର ମୁଫତିଗଞ୍ଜ ଅଂଚଳରେ ଇଲେକ୍‌ଟ୍ରିସିଆନ୍ ଶଫିକ୍ ରେହମାନ ଏକ ଭଡ଼ା ଘରେ ରହୁଥିବାବେଳେ ତାଙ୍କ ଘରକୁ ଲାଗି ରହୁଥିବା ଆଉ ଏକ ଘରେ ନଜମା ଓ ତାଙ୍କର ୧୧ ବର୍ଷୀୟ ପୁଅ ରହୁଥିଲେ । ନଜମାଙ୍କ ସ୍ୱାମୀ ମହମ୍ମଦ ବକିଲ ୨୦୧୬ରେ ରୋଗ କାରଣରୁ ମୃତ୍ୟୁ ଘଟିଥିଲା। ବହୁତ ଦିନ ଧରି ପଡ଼ୋଶୀ ଭାବେ ରହୁଥିବାରୁ ନଜମା ଓ ଶଫିକଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଯାଇଥିଲା । ଶଫିକ ଦରକାର ସମୟରେ ନଜମାଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ କରିଆସୁଥିଲେ । ତେବେ ଧୀରେ ଧୀରେ ନଜମାଙ୍କ ପ୍ରତି ଶଫିକଙ୍କ ମନରେ ଦୁର୍ବଳତା ବଢ଼ିଥିଲା । ସେ ତାଙ୍କୁ ଏକ ତରଫା ଭାବେ ପ୍ରେମ କରି ବସିଥିଲେ । ମାତ୍ର ନଜମାଙ୍କର ପୁଅ ଥିବାରୁ ସେ ତାଙ୍କୁ କେବେ ଏ ସମ୍ପର୍କରେ କହିପାରୁ ନ ଥିଲେ । ଏଇଠୁ ତାଙ୍କ ମନରେ ସଇତାନୀ ଭାବନା ଯାତ ହୋଇଥିଲା । ନଜମାଙ୍କୁ ପାଇବାକୁ ହେଲେ ପୁଅକୁ ରାସ୍ତାରୁ ହଟାଇବାକୁ ପଡ଼ିବ ବୋଲି ଭାବିଥିଲେ । ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
ନଜମା ରହୁଥିବା ଘରଠାରୁ ଅଳ୍ପ ଦୂରରେ ତାଙ୍କ ପୁଅ ଆୟାନକୁ ଟିଉସନ୍ ପାଇଁ ପଠାଉଥିଲେ । ବାସ୍ ଏହାକୁ ହିଁ ଶଫିକ୍ ସୁବର୍ଣ୍ଣ ସୁଯୋଗ ବୋଲି ଭାବିନେଇଥିଲେ । ଦିନେ ଆୟାନ ଟିଉସନ୍ ଯିବା ସମୟରେ ଶଫିକ୍ ତାଙ୍କୁ ଛାଡ଼ିଦେବେ ବୋଲି କହି ନେଇଯାଇଥିଲେ । ମାତ୍ର ତାଙ୍କୁ ଟିଉସନ୍ ସ୍ଥାନରେ ନ ଛାଡ଼ି ଏକ ନିର୍ଜନ ସ୍ଥାନକୁ ନେଇଯାଇ ସେଠାରେ ନିର୍ମମ ଭାବେ ହତ୍ୟା କରିଥିଲା । ଏପଟେ ପୁଅ ଟିଉସନ୍‌ରୁ ନ ଫେରିବା ଦେଖି ନଜମା ବ୍ୟସ୍ତ ବିବ୍ରତ ହୋଇ ଟିଉସନ୍ ସାରଙ୍କୁ ଫୋନ୍ କରିଥିଲେ । ମାତ୍ର ଟିଉସନ୍ ସାର ଆୟାନ୍ ଆଜି ଟିଉସନ୍ ଆସି ନ ଥିବା କହିଥିଲେ । ଏହା ଶୁଣି ନଜମାଙ୍କ ମୁଣ୍ଡ ଘୁରିଯାଇଥିଲା । ପ୍ରଥମେ ପଡ଼ୋଶୀ ଶଫିକ୍‌କୁ ସେ ଏ ସମ୍ପର୍କରେ ପଚାରିଥିଲେ । ଶଫିକ କିଛି ନ ଜାଣିବା ଭଳି ଅଭିନୟ କରିଥିଲା । ପରେ ଶଫିକ୍ ନଜମାଙ୍କ ସହ ଆୟାନକୁ ଖୋଜିଥିଲା । ଅନେକ ଖୋଜା ଖୋଜି କରିବା ପରେ ଆୟାନ ନ ମିଳିବାରୁ ନଜମା ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ଅନେକ ଖୋଜା ଖୋଜି କରିବା ପରେ କିଛି ସୁରାକ୍ ପାଇପାରି ନ ଥିଲା । ନଜମା ଏକୁଟିଆ ରହୁଥିବାରୁ ତାଙ୍କର କାହା ସହ ଶତ୍ରୁତା ମଧ୍ୟ ନ ଥିଲା । ଶଫିକ୍ ଲଗାତାର ନଜମାଙ୍କ ସହ ଖୋଜା ଖୋଜି କରୁଥିବାରୁ ପୁଲିସ୍‌ର ତା ଉପରେ ସନ୍ଦେହ ହୋଇ ନ ଥିଲା । ତେବେ ସେଠାରୁ ୧ କିମି ଦୂରରେ ଥିବା ମେଡିସିନ୍ ଷ୍ଟୋରର ସିସିଟିଭି ଫୁଟେଜକୁ ଚେକ୍ କଲା ପରେ ଆୟାନର ଅପହରଣ ଦିନ ତା ସହିତ ଶଫିକ୍ ବୁଲୁଥିବା ଦେଖିବାକୁ ମିଳିଥିଲା । ପରେ ପୁଲିସ୍ ଶଫିକ୍‌କୁ ଗିରଫ କରି ପଚରା ଉଚରା କରିଥିଲା । ପ୍ରଥମେ ଶଫିକ୍ ପୁଲିସ୍‌କୁ ଇଆଡ଼ୁ ସିଆଡ଼ୁ କହି ଭୁଲେଇବାକୁ ଚେଷ୍ଟା କରିଥିଲା । ମାତ୍ର ଏସିପି ଦୁର୍ଗାପ୍ରସାଦ ତ୍ରିପାଠୀ ଶଫିକ୍ ଉପରେ ଚାପ ପକାଇବାରୁ ସେ ଆୟାନକୁ ମାରିଥିବା ମାନିଯାଇଥିଲା । ପ୍ରଥମେ ଆୟାନର ମୁଣ୍ଡକୁ କାନ୍ଥରେ ପିଟି ତାକୁ ଅଚେତ କରିଦେଇଥିଲା ପରେ ବେକ ଚିିପି ହତ୍ୟା କରି ଶବକୁ ଲୁଚେଇ ଦେଇଥିଲା । ପୁଲିସ୍ ଶଫିକ୍‌କୁ କୋର୍ଟ ଚାଲଣ କରିଥିବାବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି । ଏକ ତରଫା ପ୍ରେମର କରୁଣ ପରିଣତି କୋମଳ ମତି ପୁଅକୁ ଭୋଗିବାକୁ ପଡ଼ିଛି ।

ମତାମତ ଦିଅନ୍ତୁ ।