ଅଣ୍ଡର୍‌ଗ୍ରାଉଣ୍ଡ୍‌ରେ ପଶି ୩ ଭାଇଙ୍କ ଜୀବନ ଗଲା

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ଅଣ୍ଡର୍‌ଗ୍ରାଉଣ୍ଡ୍‌ରେ ପଶି ୩ ଭାଇଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ମୃତକ ଜନ୍ ମାଝୀଙ୍କ ୩ ପୁଅ ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ।

ଖବର ଅନୁଯାୟୀ ଗତକାଲି ରାତି ପ୍ରାୟ ୮ ଟାରେ ବିପ୍ର ମାଝି ଜିନିଷ ପତ୍ର ରଖିବା ପାଇଁ ଘରର ମଝି ବଖରାରେ ଖୋଳାଯାଇଥିବା ୬ଫୁଟ ଗଭୀର ଅଣ୍ଡର୍‌ଗ୍ରାଉଣ୍ଡ୍‌କୁ ପଶିଥିଲେ। ହେଲେ ଭିତରକୁ ପଶିବା ପରେ ଆଉ ବାହାରି ପାରି ନ ଥିଲେ। ତାପରେ ସଞ୍ଜୀବ ଓ ଜିତୁ ବିପ୍ରଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ମଧ୍ୟ ଫେରି ପରିନଥିଲେ। ୩ ଭାଇ ବାହାରକୁ ନ ଆସିବାରୁ ସାନ ଭଉଣୀ ଚିତ୍କାର କରିବାରୁ ପରିବାର ଲୋକେ ଅଣ୍ଡର୍‌ଗ୍ରାଉଣ୍ଡ୍‌ରେ ଦଉଡି ପକାଇ ୩ ଭାଇଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ବିରିକୋଟ ମେଡିକାଲରେ ଭର୍ତ୍ତି କରିଯାଇଥିଲା। ପରେ ମୋହନା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।