ଟ୍ରକ୍‌ ପଛରେ ଧକ୍କା ଖାଇଲା ଆମ୍ବୁଲାନ୍‌ସ୍‌; ୩ ମୃତ, ୪ ଆହତ

ଭୁବନେଶ୍ଵର : ୧୬ ନମ୍ବର ଜାତୀୟ ରାଜପଥର ବନ୍ଦୋଳ ନିକଟରେ ୧୦୮ ଆମ୍ବୁଲାନ୍‌ସ୍‌ ଟ୍ରକ୍‌ ପଛରେ ଧକ୍କା ଖାଇବା ଯୋଗୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତ୍ରୀରେ ଘଟିଛି ଏହି ଦୁର୍ଘଟଣା।

ଖବର ଅନୁଯାୟୀ ଯାଜପୁର ଜିଲ୍ଲା ଦଶରଥପୁର ଛତ୍ରପଡ଼ା ଅଞ୍ଚଳର ଜଣେ ବିଷ ଖାଇଥିବା ମହିଳାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ରବିବାର ବିଳମ୍ବିତ ରାତ୍ରୀରେ ତାଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା। ବଡ଼ଚଣା ନିକଟସ୍ଥ ବନ୍ଦୋଳ ନିକଟରେ ଆମ୍ବୁଲାନ୍‌ସ୍‌ ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକ୍‌ ପଛରେ ଧକ୍କା ଖାଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍‌ସ୍‌ର ହେଲ୍‌ପର୍‌ ରଞ୍ଜିତ କୁମାର ମଲିକ ଓ ବିଷ ଖାଇଥିବା ମହିଳାଙ୍କର ମୃତ୍ୟୁ ଘଟିଥିଲା।

ଆମ୍ବୁଲାନ୍‌ସ୍‌ ଚାଳକ ମଙ୍ଗଳପୁର ଥାନା ଅନ୍ତର୍ଗତ ପ୍ରୀତିପୁର ଅଞ୍ଚଳର ଗଗନ କୁମାର ମହାନ୍ତି, ଫାର୍ମାସିଷ୍ଟ୍‍, ବିଷଖିଆ ମହିଳାଙ୍କ ପୁଅ ଓ ନାତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ନାତିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ବଡ଼ଚଣା ପୁଲିସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍‌ସ୍‌କୁ ରାସ୍ତାରୁ ଉଠାଇ ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।