କଟକ : ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ

କଟକ : କଟକ ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ କରୋନା ସଂକ୍ରମିତ ସଂଖ୍ୟା ଅଧିକ। ଏହା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ।

ରବିବାର ଗଣମାଧ୍ୟମକୁ ଶ୍ରୀ ଚଇନୀ ଦେଇଥିବା ସୂଚନା ଅନୁଯାୟୀ ଗ୍ରାମାଞ୍ଚଳରେ ୪୬.୯ ପ୍ରତିଶତ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସହରାଞ୍ଚଳରେ ଏହି ହାର ରହିଛି ୫୩.୧ ପ୍ରତିଶତ। ଏ ପର୍ଯ୍ୟନ୍ତ ଚିହ୍ନଟ ୨୯୧୦ ପଜିଟିଭ ମଧ୍ୟରୁ ଗ୍ରାମାଞ୍ଚଳରେ ୧୩୬୪ ଜଣ ଓ ସହରାଞ୍ଚଳରେ ୧୫୪୬ ଜଣ ବୋଲି ସେ କହିଛନ୍ତି। ସେହିପରି ଜିଲ୍ଲାରେ ସୁସ୍ଥତା ହାର ୬୬.୦୩ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୦.୦୧ପ୍ରତିଶତ ରହିଛି। ତେବେ ବଡ଼ମ୍ବା ନରସିଂହପୁର ଓ ଆଠଗଡ଼ର ଗ୍ରାମାଞ୍ଚଳରେ ଓ କଟକ ସହରର ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ଅଧିକ ରହିଛି। ତେବେ ଜୀବନ ସହ ଜୀବିକାକୁ ଦେଖିବାକୁ ପଡ଼ୁଥିବାରୁ ସମସ୍ୟା ହେଉଛି।

କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ କହିଛନ୍ତି ସହରରେ ଟେଷ୍ଟିଂ ସଂଖ୍ୟା ଅଧିକରୁ ଅଧିକ ବଢାଯାଉଛି। ଆଗକୁ ପିଏଚସି ମାନଙ୍କରେ କୋଭିଡ୍‌ ଟେଷ୍ଟର ବ୍ୟବସ୍ଥା କରାଯିବ। ତେବେ କରୋନାକୁ ଦୂରେଇବାକୁ ହେଲେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ମାନିବାକୁ ହେବ।

ସେ କହିଲେ କଟକ ସହରର ୩ଟି କଣ୍ଟେନମେଣ୍ଟ ଜୋନରୁ ୪୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କ ନମୁନା ପଜିଟିଭ ଆସିଛି। ତେଲୁଗୁ ସାହିରେ ୩୪୫ ଜଣଙ୍କ ମଧ୍ୟରୁ ୨୧୨ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା। ୮୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଲୁଆ ସାହିରୁ ୬୨ ଜଣଙ୍କର ନମୁନା ସଂଗ୍ରହ ହୋଇଥିବା ବେଳେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସଏମ୍‌ସି କମିସନର ଅନନ୍ୟା ଦାସ କହିଛନ୍ତି।

ମତାମତ ଦିଅନ୍ତୁ ।