ଡାଲି ୨୦ ପ୍ରତିଶତ ଯାଏଁ ଶସ୍ତା ହେଲା

ମୁମ୍ବାଇ : ଦେଶରେ ପନିପରିବା ଦର ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହିଭଳି ଏକ ମହଙ୍ଗା ସମୟରେ ହରଡ ଡାଲି ଦାମ ୧୫ ରୁ ୨୦ ପ୍ରତିଶତ ହ୍ରାସ ପାଇଛି। ମଶୁର ଓ ଚଣା ଡାଲି ସମେତ ଅନ୍ୟାନ୍ୟ ଡାଲି ମଧ୍ୟରୁ କେତେକର ମୂଲ୍ୟ ସ୍ଥିର ଥିବାବେଳେ ଆଉ କିଛିର ଦାମ କମିଛି। ସରକାର ନଭେମ୍ବର ୧୫ ରୁ ଡିସେମ୍ବର ୩୧ ତାରିଖ ଯାଏଁ ହରଡ ଡାଲି ଆମଦାନୀ ବୃଦ୍ଧି ଘୋଷଣା କରିବା ପରେ ଏହି ଡାଲିର ଏକ୍ସ-ମିଲ ଦାମ୍ କିଲୋ ପ୍ରତି ୧୨୦ ଟଙ୍କାରୁ ୧୦୦ ଟଙ୍କାକୁ ଖସି ଆସିଛି।

ଗତ ମାସରେ କେନ୍ଦ୍ର ସରକାର ହରଡ ମଶୁର ଡାଲି ଉପରେ ଆମଦାନୀ ଶୁଳ୍କ ଡିସେମ୍ବର ୩୧ ତାରିଖ ଯାଏଁ ବଢ଼ାଇବାରୁ ଏହି ଡାଲି ମିଲରେ କିଲୋ ୧୨୦ ଟଙ୍କା ଥିବାବେଳେ ଖୁଚୁରା ବଜାର ଦାମ ୧୫୦ ଟଙ୍କାରେ ପହଞ୍ଚିଥିଲା। ନିକଟରେ ମୋଜାମ୍ବିକ ସହ କେନ୍ଦ୍ର ସରକାର ପୁଣି ୫ ବର୍ଷ ଲାଗି ହରଡ ଡାଲି ଆମଦାନୀ ନିମନ୍ତେ ଦ୍ୱିପାକ୍ଷିକ ବୁଝାମଣା ନବୀକରଣ କରିଛନ୍ତି। ଫଳରେ ଭାରତ ପ୍ରତିବର୍ଷ ୨ ଲକ୍ଷ ଟନ୍ ଡାଲି ଆମଦାନୀ କରିପାରିବ।

ସେହିପରି ଡିସେମ୍ବର ୩୧ ଯାଏଁ ୪ ଲକ୍ଷ ଟନ୍ ହରଡ ଡାଲି ଆମଦାନୀ ପାଇଁ ଅନୁମତି ମିଳିଛି। ମୋଜାମ୍ବିକରୁ ୨ ଲକ୍ଷ ଟନ୍ ବ୍ୟତୀତ ଦେଶରେ ପାଖାପାଖି ୩.୨୫ ଲକ୍ଷ ଟନ୍ ଡାଲି ପହଞ୍ଚିବା ନେଇ ଆଶା କରାଯାଉଛି। ଇତି ମଧ୍ୟରେ ଚଣା ଡାଲି ଦାମ ମଧ୍ୟ ସ୍ଥିର ରହିଛି। ମୁଖ୍ୟତଃ ଦୀପାବଳି ପାଇଁ ଚାହିଦା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିସ୍ତାର କାରଣରୁ ଚଣା ଡାଲି ଦାମ ବୃଦ୍ଧି ପାଇଥିଲା। ଚଳିତ ମାସରେ ସରକାର ମଶୁର ଡାଲି ଉପରେ ଲଗାଯାଇଥିବା ୧୦ ପ୍ରତିଶତ କମ ଆମଦାନୀ ଶୁଳ୍କକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ମତାମତ ଦିଅନ୍ତୁ ।