ଦମ୍ପତ୍ତିଙ୍କୁ ପୋଲିସର ମାଡ଼ : ଟାଉନ୍‌ ଏସ୍‌ଡିପିଓ କରିବେ ତଦନ୍ତ

ବ୍ରହ୍ମପୁର : ପୁରୁଣା ବ୍ରହ୍ମପୁର ଅଞ୍ଚଳର ଦମ୍ପତିଙ୍କୁ ଥାନାକୁ ଡାକି ପୋଲିସ ମାଡ଼ ମାରିବା ଅଭିଯୋଗ କରିଛନ୍ତି ମହିଳା ଦୁଃଖୀ ନାୟକ। ଅଭିଯୋଗକାରୀଙ୍କ ଠାରୁ ସମସ୍ତ ଘଟଣା ବୁଝିବା ପରେ ଏଏସ୍‌ପି ପ୍ରଭାତ ଚନ୍ଦ୍ର ରାଉତରାୟ ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତିଙ୍କୁ ତଦନ୍ତ ଦାୟିତ୍ଵ ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଦୁଃଖୀ ନାୟକ ଅଭିଯୋଗ କରିଛନ୍ତି ପୁରୁଣା ବ୍ରହ୍ମପୁର ପାଣ୍ଡବନଗରେ କବିର ନାୟକ ତାଙ୍କ ପତ୍ନୀ ଓ ବାପା, ମା’ ଏକାଠି ରହୁଛନ୍ତି। ତାଙ୍କର ଏକ ଛୋଟ ଝିଅ ଅଛି। ବିଭିନ୍ନ କଥାକୁ ନେଇ ଶ୍ଵଶୁରଙ୍କ ସହିତ ଝଗଡ଼ା ହେଉଥିଲା। କିନ୍ତୁ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ନଣନ୍ଦେଇ ଘରେ ଅଶାନ୍ତି ସୃଷ୍ଟିର କାରଣ। ପ୍ରତିବାଦ କଲେ ଧମକ୍‌ ମିଳୁଥିଲା। ଶାଶୂ-ଶ୍ଵଶୁର ହଇରାଣ କରୁଥିଲେ ହେଁ ସବୁ ସାହୁଥିଲେ। କିନ୍ତୁ ଗତକାଲି ଶ୍ଵଶୁର ଘର ‌ଲୋକ ବଡ଼ବଜାର ଥାନାରେ ପୁଅ-ବୋହୂ ମାଡ଼ ମାରୁଥିବା ମିଥ୍ୟା ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ସଂଧ୍ୟାରେ ସ୍ଵାମୀ କବିର ଓ ତାଙ୍କୁ ଥାନାକୁ ଡାକିନେଇ ରାତିରେ ପଚରାଉଚରା କରିବା ସହିତ ମାଡ଼ ମାରିଥିଲେ। ଏପରିକି ଦୁଇଜଣ ମହିଳା ପୋଲିସ ବାଡ଼ିରେ ମାଡ଼ ମାରିଥିବା ସେ ଏଏସ୍‌ପିଙ୍କୁ କହିଛନ୍ତି। ଏହାଛଡା ରାତିରେ ତାଙ୍କୁ ପୋଲିସ ଛାଡ଼ି ଦେଇଥିଲେ ହେଁ ସ୍ଵାମୀ କବିରଙ୍କୁ ଥାନାରେ ଅଟକ ରଖାଯାଇଥିବା ସେ କହିଛନ୍ତି।

ଏହାବ୍ୟତୀତ ଆଜି ଏକ ସ୍ଵୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସହଯୋଗରେ ଦୁଃଖୀ ବ୍ରହ୍ମପୁର ଏସ୍‌.ପି.ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଦାଖଲ କରିଛନ୍ତି। ବିନା କାରଣରେ ପୋଲିସ ହଇରାଣ କରି ମାଡ଼ ମାରିଥିବା କହିଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ସହିତ ଥାନାରେ ଅଟକ ଥିବା ସ୍ଵାମୀଙ୍କୁ ଛାଡ଼ିବା ପାଇଁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button