ଦାରିଦ୍ର‌୍ୟ : ଚକୋଲେଟ୍‌ ମାଗିବାରୁ ଶିଶୁପୁତ୍ରକୁ ଗୋଇଠା

କେନ୍ଦୁଝର : ଦାରିଦ୍ର‌୍ୟ ଓ ମଦ ନିଶା ଜଣେ ମା’କୁ କେଉଁ ସ୍ତରକୁ ନେଇପାରେ ତାହାର ଏକ ଉଦାହରଣ କେନ୍ଦୁଝର ଶୁଆକାଟି ଫାଣ୍ଡି ଅଧୀନ ବାୟାପଣ୍ଡାଦର ଅଞ୍ଚଳରେ ଦେଖିବାକୁ ମିଳିଛି। ହାଟରେ ୩ ବର୍ଷର ପୁଅ ଚକୋଲେଟ୍‌ ଖାଇବାକୁ ଜିଦି କରିବାରୁ ତଳେ ପକାଇ ଗୋଇଠା ପରେ ଗୋଇଠା ମାରିବାକୁ ମା’ ପଛାଇନି।

ଖବର ଅନୁଯାୟୀ ବାୟାପଣ୍ଡାଦର ଜୁଆଙ୍ଗ ସାହିର ନୁନ୍ଦୁ ଜୁଆଙ୍ଗ ଜଣେ ଦିନ ମଜୁରିଆ। ୪ ସନ୍ତାନ ଓ ପତ୍ନୀକୁ ମିଶାଇ ୬ ପ୍ରାଣୀ କୁଟୁମ୍ବ। ଯାହା ରୋଜଗାର ସେଥିରେ ପରିବାର ଚଳିବା ସମ୍ଭବ ନୁହେଁ। କିନ୍ତୁ ପତ୍ନୀର ପ୍ରତିଦିନ ମଦ ଆବଶ୍ୟକ। ମଦ ପାଇଁ ସ୍ୱାମୀ ପଇସା ନଦେଲେ ଝଗଡ଼ା ହୁଏ। ୩ ଦିନ ହେଲା ନୁନ୍ଦୁଙ୍କ ପାଖରେ ଟଙ୍କା ନ ଥିବାରୁ ସେ ମଦ ପତ୍ନୀକୁ କିଛି ଦେଇପାରିନି। ସେଥିପାଇଁ ସ୍ୱାମୀଙ୍କ ଉପରେ ଗରଗର ହେଉଥିଲା ରଇ ଜୁଆଙ୍ଗ। ଶୁକ୍ରବାର ଗାଁରେ ବସିଥିଲା ସାପ୍ତାହିକ ହାଟ। ୩ ବର୍ଷର ପୁଅ ଓ ଝିକୁ ସାଙ୍ଗରେ ନେଇ ରଇ ହାଟକୁ ଯାଇଥିଲା। ହାଟରୁ ଫେରିବା ବେଳେ ଛକ ପାଖରେ ଚକୋଲେଟ୍‌ ଖାଇବାକୁ ଜିଦିକରି ପୁଅ କାନ୍ଦିଲା। ଆଉ ତଳେ ଗଡି ଯାଇଥିଲା। କିନ୍ତୁ ଏଇ ସମୟରେ ରଇ ତାଙ୍କୁ ଶାନ୍ତ କରିବା ପରିବର୍ତ୍ତେ ଭୂଇଁରେ ଲୋଟୁଥିବା ପୁଅକୁ ଗୋଇଠା ପରେ ଗୋଇଠା ମାରି ଚାଲିଲା। ରାଗ ଏତିକିରେ ଶାନ୍ତ ହେଲାନି। ପୁଅ ଉପରେ ଠିଆ ହୋଇଯିବାକୁ ପ୍ରୟାସ କରିବାରୁ ପିଲାଟି ଜୋରରେ କାନ୍ଦିଥିଲା। ଲୋକେ ଦୌଡ଼ି ଆସିବାରୁ ସେ ଛାଡ଼ି ଦେଇଥିଲା। ନଚେତ ଅଘଟଣ ଘଟିଥାନ୍ତା।

ଘଟଣା ସମ୍ପର୍କରେ ଜାଣିବା ପରେ ବାଂଶପାଳ ଚାଇଲ୍ଡ ଲାଇନର ସଦସ୍ୟ ସେଠାରେ ପହଞ୍ଚିଥିଲେ। ଆହତ ଶିଶୁକୁ ଉଦ୍ଧାର କରି କାଞ୍ଜିପାଣି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ମା’ ବିରୋଧରେ ଶୁଆକାଟି ଫାଣ୍ଡିରେ ଏତଲା ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।