ଚୀନ ବର୍ଡରରେ କୌଶଳ ଦେଖାଇଲେ ପାରା କମାଣ୍ଡୋ

ଲଦାଖ: ଚୀନ ସେନା ଲଦାଖର ବିବାଦିତ ସ୍ଥଳରୁ ହଟିଯାଇଥିଲେ ମଧ୍ୟ ଭାରତୀୟ ସେନା ସେଠାରେ ନିଜର ଉପସ୍ଥିତିକୁ ମଜବୁତ କରିଚାଲିଛି । ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ଲେହରେ ପହଁଚିଥିବାବେଳେ ଭାରତୀୟ ସେନାର ଦୁଃସାହସିକ ପାରା କମାଣ୍ଡୋମାନେ ତାଙ୍କ ସାମ୍ନାରେ ଜୋରଦାର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି । ଯେଉଁଠାରେ ଭାରତୀୟ ପାରା କମାଣ୍ଡୋମାନେ ପ୍ରଦର୍ଶନ କରିଥିଲେ ସେଠାରୁ ୨ କିମି ବ୍ୟବଧାନରେ ଚୀନ ସେନା ମୁତୟନ ଅଛି । ପାରା କମାଣ୍ଡୋମାନେ ପେଙ୍ଗଙ୍ଗ ହ୍ରଦ ନିକଟରେ ସର୍ଜିକାଲ ଷ୍ଟ୍ରାଇକ୍‌ର ଅଭ୍ୟାସ କରିଥିଲେ । ପେଙ୍ଗଙ୍ଗ ହ୍ରଦ ପାଖରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିବାବେଳେ ଏବେ ସେଠାରେ ଭାରତୀୟ ସେନା ନିଜର ଶକ୍ତି ପ୍ରଦର୍ଶନ କରୁଛି ।
ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଆରମ୍ଭ ହେବା ସମୟରେ ପାରା କମାଣ୍ଡୋ ଆଗରା ଓ ଅନ୍ୟାନ୍ୟ ସ୍ଥାନରେ ଉପସ୍ଥିତ ଥିଲେ । ତେବେ ସ୍ଥିତି ଅଧିକ ବିଗିଡ଼ିବା ସହ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେବାରୁ ସେମାନଙ୍କୁ ସେଠାକୁ ପଠାଯାଇଛି । ୧୩, ୮୦୦ ଫୁଟ ଉଚ୍ଚ ସ୍ଥାନରେ ପାରା କମାଣ୍ଡୋମାନେ ଏହି ଅଭ୍ୟାସ କରିଥିବାବେଳେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ପୂରା ଅଭ୍ୟାସକୁ ଦେଖିଥିଲେ । ଏଥିରେ ସ୍ଥଳସେନା ଓ ବାୟୁସେନାର ଯବାନମାନଙ୍କ ମଧ୍ୟରେ ସୁନ୍ଦର ତାଳମେଳ ଦେଖିବାକୁ ମିଳିଥିଲା ।

ମତାମତ ଦିଅନ୍ତୁ ।