ଦେଶର ମସ୍ତକ ନଇଁବାକୁ ଦେବୁନାହିଁ : ରାଜନାଥ

ନୂଆଦିଲ୍ଲୀ : ଦେଶର ଅଖଣ୍ଡତା ରକ୍ଷା କରିବା ପାଇଁ ଆମେ ସଂପୂର୍ଣ୍ଣ ପ୍ରତିଶ୍ରୁତି ବଦ୍ଧ। ଦେଶ ପାଇଁ ଯଦି ବଡ ପଦକ୍ଷେପ ନେବାକୁ ହୁଏ ତେବେ ପଚାଇବୁ ନାହିଁ। କିନ୍ତୁ ଦେଶର ମସ୍ତକ ନଇଁବାକୁ ଦେବୁନାହିଁ। ଆଜି ରାଜ୍ୟ ସଭାରେ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ଗୁରୁବାର ରାଜ୍ୟସଭାକୁ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କରେ ଅବଗତ କରାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଲଦାଖରେ ଚୀନ୍ ବେଆଇନ ଭାବେ ପ୍ରାୟ ୩୮ ହଜାର ବର୍ଗ କିଲୋମିଟର ଜମି କବଜା କରି ରଖିଛି। ଚୀନ୍‌ର କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୋଇଛି ଚୀନର କଥା ଗୋଟିଏ କାମ ଗୋଟିଏ। ସେ କହିଲେ ଆମର ଦ୍ୱିପାକ୍ଷିକ ଚୁକ୍ତିନାମା ଓପ୍ରୋଟୋକଲ୍ ଅନୁଯାୟୀ ଗ୍ରାଉଣ୍ଡ କମାଣ୍ଡରଙ୍କ ଦ୍ଵାରା ଅଶାନ୍ତ ପରିସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା ଜାରି ରହିଛି। କିନ୍ତୁ ମେ’ ମାସ ମଧ୍ୟଭାଗରେ ଚୀନ୍ ଦଳ ପଶ୍ଚିମ କ୍ଷେତ୍ରର ଅନ୍ୟାନ୍ୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଏଲଏସିରେ ଆମର ସଶସ୍ତ୍ର ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନ ଚୀନ ସେନାର ଉଦ୍ୟମକୁ ବିଫଳ କରିଥିଲା।

ରାଜନାଥ କହିଛନ୍ତି ସୀମାର ସ୍ଥିତି ଉପରେ ଚୀନ୍ ସହିତ ସମ୍ପର୍କ ନିର୍ଭର କରେ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଓ ସୀମା ବିବାଦକୁ ନେଇ ଆଲୋଚନା କରାଯାଇପାରିବ। ହେଲେ ସୀମାରେ ଯଦି ସ୍ଥିତି ସ୍ୱାଭାବିକ ନରହିବ ତାହେଲେ ଏହି ସମ୍ପର୍କ ବୃଦ୍ଧିର କୌଣସି ଲାଭ ହେବ ନାହିଁ। ଚୀନ୍ ସହିତ ସୀମା ପ୍ରସଙ୍ଗ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଯଦି ଏଲଏସିରେ ଟେନସନ ଅଛି ତେବେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ।

ସେ କହିଲେ ଜୁନ୧୫ରେ କର୍ଣ୍ଣେଲ ସାଣ୍ଟୋଶ ବାବୁ ଓ ତାଙ୍କର ୧୯ ବୀର ଯବାନ ଭାରତର ଅଖଣ୍ଡତା ରକ୍ଷା କରିବା ଉଦ୍ଦେଶ୍ୟରେ ଗାଲଭାନ ଉପତ୍ୟକାରେ ବଳିଦାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ନିଜେ ଲଦାଖକୁ ଯାଇ ସେନାର ମନୋବଳ ବୃଦ୍ଧି କରାଇଛନ୍ତି। ତେଣୁ ସୀମାରେ ପାଟ୍ରୋଲିଂ କରିବା ପାଇଁ ଦେଶର ସେନାକୁ କେହି ରୋକିପାରିବେ ନାହିଁ। ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସୀମାରେ ଅନେକ ଚୁକ୍ତିନାମା ହୋଇଥିଲା। ଚୀନ୍ ଏସବୁ ଚୁକ୍ତିନାମାକୁ କାର୍ଯ୍ୟକାରୀ କରୁ ନାହିଁ। ସଂସଦ ମଧ୍ୟ ଏବାବଦରେ ଅବଗତ ଅଛି ଭାରତ-ଚୀନ୍ ସୀମା ପ୍ରସଙ୍ଗର ସମାଧାନ ହୋଇନାହିଁ। ସେ କହିଲେ ଚୀନ୍ ଯାହା କରୁଛି ତାହା ଦ୍ୱିପାକ୍ଷିକ ଚୁକ୍ତିର ଉଲ୍ଲଂଘନ। ୧୯୯୩ ଓ ୧୯୯୬ରେ ହୋଇଥିବା ଚୁକ୍ତିନାମାର ବିରୋଧରେ ଚୀନ୍ କାମ କରୁଛି। ଆମର ସୈନ୍ୟବାହିନୀ ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରନ୍ତି। କିନ୍ତୁ ଚୀନ୍ ଏହାକୁ ପାଳନ କରେ ନାହିଁ ବୋଲି ରାଜନାଥ ସିଂହ କହିଛନ୍ତି।

ମତାମତ ଦିଅନ୍ତୁ ।