ଦେଶର ସର୍ବକନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ

ନୂଆଦିଲ୍ଲୀ : କେରଳରର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବାମ ଗଣତାନ୍ତ୍ରିକ ମେଣ୍ଟର ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ରନ ଥିରୁବନନ୍ତପୁରମ୍ ଜିଲ୍ଲାର ମେୟର ହେବେ ବୋଲି ସୂଚନା ମିଳିଛି। ସେ ହେବେ ଦେଶର ସବୁଠାରୁ କନିଷ୍ଠ ମେୟର। ୨୧ ବାର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି। ସେ ୟୁଡିଏଫର ପ୍ରାର୍ଥୀ ଶ୍ରୀକଲାଙ୍କୁ ୨୮୭୨ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି।
ଆର୍ଯ୍ୟାଙ୍କୁ ମେୟର କରିବାର ନିଷ୍ପତ୍ତି ସିପିଆଇ (ଏମ୍) ଜିଲ୍ଲା ସଚିବାଳୟର ଏକ ପ୍ୟାନେଲ ନେଇଛି।
ଆର୍ଯ୍ୟା ଏବେ କେରଳର ରାଜଧାନୀ ଥିରୁବନନ୍ତପୁରମ ଅଲ ସେଣ୍ଟସ୍ କଲେଜରେ ପାଠ ପଢୁଛନ୍ତି। ସିପିଆଇ (ଏମ୍)ର ଛାତ୍ର ସଂଗଠନ ଏସଏଫଆଇର ରାଜ୍ୟ କମିଟି ସଦସ୍ୟ ଦାୟିତ୍ୱ ତୁଲାଉଥିବା ବେଳେ କେରଳ ସିପିଆଇ (ଏମ)ର ବାଲସଂଗମ ବିଭାଗର ଅଧ୍ୟକ୍ଷ ଅଛନ୍ତି। ସେ ନିର୍ବାଚନ ପୂର୍ବରୁ କହିଥିଲେ ଯଦି ନିର୍ବାଚନ ଜିତନ୍ତି ତାହେଲେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ବିକାଶକୁ ଗୁରୁତ୍ୱ ଦେବେ। ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ କହିଛନ୍ତି ଦଳ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ମୁଁ ସୁଚାରୁରୂପେ ସମ୍ପର୍ଣ୍ଣ କରିବାକୁ ଚେଷ୍ଟା କରିବି।
ଅନ୍ୟପକ୍ଷରେ ନିର୍ବାଚନରେ ଏଲଡିଏଫର ବିଜୟ ହୋଇଛି। କିନ୍ତୁ ପୂର୍ବ ନିର୍ବାଚନ ତୁଳନାରେ ପାର୍ଟି ୨ଟି ନୂତନ ମେୟର ପଦ ହରାଇବା ସହ ପୂର୍ବରୁ ମେୟର ଥିବା ଜଣେ ନେତା ପରାଜିତ ହୋଇଛନ୍ତି। ଆର୍ଯ୍ୟାଙ୍କ ପୂର୍ବରୁ ସହର ପାଇଁ ଦଳ ତରଫରୁ ପ୍ରତିନିଧିତ୍ୱ କରୁଥିବା ଜମିଲା ଶ୍ରୀଧରନଙ୍କ ନାମ ଚର୍ଚ୍ଚାରେ ଥିଲା। ହେଲେ ଦଳ ଆର୍ଯ୍ୟାଙ୍କୁ ମେୟର କରିବାକୁ ନିଷ୍ପତ୍ତି ନେଇଛି।