ଧାର୍ଯ୍ୟ ହେଲା ପିଆଜର ଷ୍ଟକ୍‌ ସୀମା

ନୂଆଦିଲ୍ଲୀ : ପିଆଜ ଦର ବୃଦ୍ଧି ସରକାରଙ୍କ ଚିନ୍ତା ବଢ଼ାଇଛି। ପିଆଜ ଷ୍ଟକ ଉପରେ କଟକଣା ପ୍ରତ୍ୟାହାର କରି ନେଇଥିବା କେନ୍ଦ୍ର ସରକାର ଆଜି ଦର ନିୟନ୍ତ୍ରଣ କରିବା ପାଇଁ ଷ୍ଟକ ସୀମା ଧାର୍ଯ୍ୟ କରିଛନ୍ତି। ଖୁଚୁରା ଓ ହୋଲସେଲ ବ୍ୟବସାୟୀ କେତେ ପରିମାଣର ପିଆଜ ନିଜ ପାଖରେ ରଖିବେ ତାହାର ନିଷ୍ପତ୍ତି ସରକାର ନେବେ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଖୁଚୁରା ବ୍ୟବସାୟୀ ସର୍ବାଧିକ ୨ ଟନ୍‌ ପିଆଜ ନିଜ ପାଖରେ ରଖିପାରିବେ। ହୋଲସେଲ ବ୍ୟବସାୟୀ ରଖିପାରିବେ ୨୫ ଟନ୍‌। ଏହାଠାରୁ କେହି ଅଧିକ ରଖିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ ନିୟମ ଆଜି ଠାରୁ ଆସନ୍ତା ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ।

ସରକାରଙ୍କ ତଥ୍ୟ ଅନୁଯାୟୀ ଅକ୍ଟୋବର ୨୨ରେ ମୁମ୍ବାଇରେ ପିଆଜ କେଜି ପିଛା ୮୬ ଟଙ୍କା, ଚେନ୍ନାଇରେ ୮୩, କୋଲକାତାରେ ୭୦ ଓ ଦିଲ୍ଲୀରେ ୫୫ ଟଙ୍କା ରହିଛି। କିନ୍ତୁ କିଛି ସ୍ଥାନରେ ଏହାଠାରୁ ଅଧିକ ମୂଲ୍ୟରେ ପିଆଜ ବିକ୍ରି ହେଉଥିବାରୁ କେନ୍ଦ୍ର ସରକାର ପିଆଜର ଷ୍ଟକ ସୀମା ଧାର୍ଯ୍ୟ କରିଛନ୍ତି। ସରକାରଙ୍କ କହିବା ଅନ୍ୟଯାୟୀ ୪୩ ଲକ୍ଷ ଟନ୍‌ ପିଆଜ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୬ ଲକ୍ଷ ଟନ୍‌ ଉତ୍ପାଦନ ହୋଇଛି। ଏହି କାରଣରୁ ଦର ବୃଦ୍ଧି ଘଟୁଛି। ଲୋକଙ୍କୁ କଳା ବଜାରୀରଙ୍କ କବଳରୁ ରକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ରାଜ୍ୟ ସରକାରମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଷ୍ଟକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।