ଦୁର୍ନୀତିଗ୍ରସ୍ତ ଅଧିକାରୀ ରକ୍ତପିପାସୁ ଗଧିଆ ପରି : ମାଡ୍ରାସ ହାଇକୋର୍ଟ

ଚେନ୍ନାଇ : ମାଡ୍ରାସ ହାଇକୋର୍ଟ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କ ଉପରେ ଭୀଷଣ ବିରକ୍ତ ପ୍ରକାଶ କରିଛନ୍ତି। ଲକଡାଉନ ସମୟରେ ବିଭିନ୍ନ ବ୍ୟକ୍ତି, କମ୍ପାନି ଓ ସଂସ୍ଥାମାନଙ୍କୁ ଅର୍ଥବିନିମୟରେ ଇ-ପାସ ଯୋଗାଇଦେବା ସଂପର୍କିତ ଏକ ମାମଲାର ବିଚାର କରି କୋର୍ଟ କହିଛନ୍ତି ଅଧିକାରୀମାନେ ରକ୍ତପିପାସୁ ଗଧିଆ ପରି। ସେମାନଙ୍କୁ ଦୃଢ ହସ୍ତରେ ଦମନ କରାଯିବା ଉଚିତ।

ଜଷ୍ଟିସ ଏନ କିରୁବାକରନ ଓ ଜଷ୍ଟିସ ଭି.ଏମ. ଭେଲୁମଣିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି କରୋନା ମହାମାରୀ ଯୋଗୁଁ ସାରା ଦେଶ ଗୁରୁତର ପ୍ରଭାବିତ ହୋଇଛି। ଏହାର ମୁକାବିଲା କରିବାକୁ ସରକାର ଲକଡାଉନ ଘୋଷଣା କରିଥିବା ବେଳେ ଜରୁରୀ କାମ ଲାଗି ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ପାଇଁ ଇ-ପାସ ବ୍ୟବସ୍ଥା କରାଯାଇଛି। କିନ୍ତୁ କେତେକ ଅସାଧୁ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଲାଞ୍ଚ ନେଇ ଏସବୁ ଇ-ପାସ ଜାରି କରୁଥିବା ଅଭିଯୋଗ ଉଠୁଛି। ବ୍ରୋକରଙ୍କ ମାଧ୍ୟମରେ ୫୦୦ରୁ ୨ ହଜାର ଟଙ୍କା ଦେଲେ ଇ-ପାସ ମିଳୁଛି। ଗଣମାଧ୍ୟମରେ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି। ମହାମାରୀ ଓ ଲକଡାଉନ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ବେଳେ କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସରକାର ଏହାକୁ ଗୁରୁତ୍ୱର ସହ ନେଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ମତାମତ ଦିଅନ୍ତୁ ।