ଏସଡିଜି ରିପୋର୍ଟକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ୱର : ନୀତି ଆୟୋଗର ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସଡିଜି) ରିପୋର୍ଟରେ ଓଡ଼ିଶାର ସ୍ଥାନ ୧୯କୁ ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ। ଏହାର ଜବାବରେ ବିଜେଡି ସାଂସଦ ଅମର ପଟ୍ଟନାୟକ ନୀତି ଆୟୋଗ ରିପୋର୍ଟରେ ଗଡ଼ବଡ଼ ଥିବା ସନ୍ଦେହ କରିଛନ୍ତି। ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏ ସରକାର ସବୁଥିରେ ବିଶ୍ୱ ସ୍ତରୀୟ କହୁଥିବା ବେଳେ ନୀତି ଆୟୋଗ ରିପୋର୍ଟ ସରକାରର ଅସଲ ମୁଖା ଖୋଲି ଦେଇଛି।

ଶନିବାର ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ଏସଡିଜି ରିପୋର୍ଟକୁ ଆଧାର କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ଅପରାଧ ବଢ଼ୁଛି। ମନରେଗାରେ ନିଯୁକ୍ତି କମିଛି, ନାରୀ ନିର୍ଯାତନା ବଢ଼ିଛି, ବେକାରୀ ବଢ଼ିଛି, ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା କମିଛି। ଏଥିସହ ହତ୍ୟା, ଶିଶୁ ବିରୋଧୀ ଅପରାଧ, ମାନବ ଚାଲାଣ ଅପରାଧ ବଢ଼ିଛି। ନୀତି ଆୟୋଗରେ ଓଡିଶାର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ। ୨୦୧୯ରେ ଏସଡିଜି ଇଣ୍ଡିଆ ରାଙ୍କିଂରେ ୧୬ଶ ସ୍ଥାନରେ ଓଡ଼ିଶା ଏବେ ଓଡିଶା ତଳକୁ ଖସି ଆସିଛି।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଏସଡିଜି ରିପୋର୍ଟକୁ ନେଇ ରାଜନୀତି କରିବା ଉଚିତ ନୁହେଁ। ରିପୋର୍ଟ ପ୍ରସ୍ତୁତରେ ଗଡ଼ବଡ଼ ଥିବା ଅନୁମାନ କରାଯାଉଛି। ସାଂସଦ ଉପର ଠାଉରିଆ ଭାବେ ତଥ୍ୟ ପଢ଼ି ରାଜନୀତି କରିବା ଦୁଃଖର କଥା। ଏସଡିଜି ରିପୋର୍ଟକୁ ଠିକ୍ ଭାବେ ପଢ଼ାଗଲେ ଉଦ୍ଦେଶ୍ୟ ସାଧିତ ହେବ। ୨୦୧୯ରେ ଇଜ ଅଫ ଡୁଇଙ୍ଗ ବିଜିନେସରେ ଓଡ଼ିଶା ୯୨.୦୮ପ୍ରତିଶତ ପାଇଥିଲା। ୨୦୨୦ରେ ଶୂନ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରାଜିତା ଷଡଙ୍ଗୀ ଓଡ଼ିଶା କଥା କେବଳ କହୁଛନ୍ତି। ୟୁପି କଥା କହିବା ଦରକାର ବୋଲି ଅମର କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଏ ସରକାର ସବୁଥିରେ ବିଶ୍ୱସ୍ତରୀୟ ଓ ନମ୍ୱର ଓ୍ୱାନ କହି ହେଉଛି। ହେଲେ ନୀତି ଆୟୋଗର ଏସଡିଜି ରିପୋର୍ଟରେ ଓଡ଼ିଶା ସ୍ଥାନ ତଳକୁ ଖସିଛି। ଏ ସରକାର ମିଡିଆ ଜରିଆରେ ନିଜକୁ ପ୍ରଶଂସା କରି ସାନ୍ତ୍ୱନା ଦେଉଛି ବୋଲି ସୁର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button