ନ୍ୟୁଜ୍ ସେୟାରିଂ ଉପରେ ରୋକ୍ ଲଗାଇଲା ଫେସବୁକ୍

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ବଡ଼ ସୋସିଆଲ ମିଡିଆ ଓ୍ବେବସାଇଟ୍ ଫେସ୍ବୁକ୍ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। ଏକ ନିୟମକୁ ବିରୋଧ କରି ଫେସବୁକ୍ ନିଜର ପେଜ୍ ବ୍ଲକ୍ କରିଛି। ଏହା ସହ ସମସ୍ତ ନ୍ୟୁଜ୍ ଚ୍ୟାନେଲ୍ର ଫେସବୁକ ପୋଷ୍ଟ ଉପରେ ରୋକ ଲଗାଇ ଦେଇଛି। ଅଷ୍ଟ୍ରେଲିଆ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ‘ଫେସବୁକ୍’ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ନିକଟରେ ସରକାର ନ୍ୟୁଜ୍ ପୋଷ୍ଟ ପାଇଁ ଟଙ୍କା ପୈଠ କରିବା ନେଇ ନୂଆ ନିୟମ ଆଣିଥିବା ବେଳେ ଏହାକୁ ଉଭୟ ଫେସବୁକ ଏବଂ ଗୁଗଲ ପକ୍ଷରୁ ବିରୋଧ କରାଯାଇଛି ।
ଗୁରୁବାର ଦିନ ଫେସବୁକ୍ ପକ୍ଷରୁ ଦେଶର ସମସ୍ତ ନ୍ୟୁଜ୍ ଓ୍ବେବସାଇଟ୍ର ଖବର ପୋଷ୍ଟ ଉପରେ ରୋକ ଲଗାଯାଇଛି। ଫେସବୁକର ଏହି ପଦକ୍ଷେପ ପରେ ବିଶେଷ କରି ପାଣିପାଗ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଏବଂ ବିରୋଧୀ ଦଳଙ୍କ ପେଜ୍ ପ୍ରଭାବିତ ହୋଇଛି । ପାଣିପାଗ ବିଭାଗ ଲୋକଙ୍କୁ କୌଣସି ଖବର ଫେସବୁକ୍ ମାଧ୍ୟମରେ ଦେଇପାରୁନଥିବା ବେଳେ ଟ୍ବିଟ୍ର କିମ୍ବା ଓ୍ବେବସାଇଟ୍ ଭିଜିଟ୍ କରିବାକୁ ପରାମର୍ଶ କରିଛି।
ଅଷ୍ଟ୍ରେଲିଆରେ ଦେଶୀ ଏବଂ ବିଦେଶୀ ନ୍ୟୁଜ୍ ଫେସବୁକ୍ରେ ଦେଖିବା ଏବେ ସମ୍ଭବ ହେଉ ନାହିଁ। ଦେଶରେ ଏବେ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି। ତେବେ ଏହା ପୂର୍ବରୁ ମଙ୍ଗଳବାର ଦିନ ସରକାର ନିୟମରେ ସଂଶୋଧନ କରିବା ନେଇ କହିଥିଲେ। ପ୍ରତି ଖବର କ୍ଲିକ୍ ଉପରେ ଫେସବୁକ ଏବଂ ଗୁଗଲ ପ୍ରକାଶକଙ୍କୁ ଏକ ନିର୍ଦ୍ଧିଷ୍ଟ ଶୁଳ୍କ ପ୍ରଦାନ କରିବା ନେଇ ସରକାର ଆଇନ ଆଣିଛନ୍ତି । ଏହାକୁ ଉଭୟ ଫେସବୁକ ଏବଂ ଗୁଗଲ ନାପସନ୍ଦ କରିଛନ୍ତି ।
ଦେଶରେ ସର୍ଚ୍ଚ ଇଞ୍ଜିନ ବନ୍ଦ କରିବାକୁ ଗୁଗଲ ଚେତାବନୀ ଦେଇଥିବା ବେଳେ ଫେସବୁକ୍ କିନ୍ତୁ ପଦକ୍ଷେପ ନେବା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସରରେ ଗୁଗଲ ଅଷ୍ଟ୍ରେଲିଆରେ ଅନ୍ଲାଇନ୍ ବିଜ୍ଞାପନ ମାମଲାରେ ୮୧ ପ୍ରତିଶତ ଭାଗିଦାରୀ ରହିଛି। ଆଇନ୍ ଲାଗୁ ହେଲେ ପୂରା ଦେଶରେ ସର୍ଚ୍ଚ ଇଞ୍ଜିନ ବନ୍ଦ କରିବାକୁ ଧମକ ମଧ୍ୟ ଦେଇଛି ଗୁଗଲ।