ଗବେଷଣାକୁ ପ୍ରୋତ୍ସାହନ ପାଇଁ ପଟ୍ଟାମୁଣ୍ଡାଇ କଲେଜ ଓ ସୋଆ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗବେଷଣାକୁ ପ୍ରୋତ୍ସାହନ ଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ସହ ଗୁରୁବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଫଳରେ କଲେଜର ଅଧ୍ୟାପକ/ଅଧ୍ୟାପିକାମାନେ ପୂର୍ଣ୍ଣକାଳୀନ ଓ ସାମୟିକ ଭାବେ ସୋଆରେ ଗବେଷଣା ଏବଂ ପିଏଚ୍‌ଡି କରିପାରିବେ। ସେହିପରି କଲେଜର ଛାତ୍ରଛାତ୍ରୀ-କର୍ମଚାରୀମାନେ ସୋଆରେ ବିଭିନ୍ନ ସୁବିଧା ଓ ଲାଇବ୍ରେରୀ ବ୍ୟବହାର ପାଇଁ ସୁଯୋଗ ପାଇପାରିବେ। ସେହିପରି ସୋଆର ଅଧ୍ୟାପକମାନେ ପଟ୍ଟାମୁଣ୍ଡାଇ କଲେଜର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ‘ଆଡ ଅନ୍‌’ କୋର୍ସର ସୁବିଧା ଯୋଗାଇଦେବେ। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ (ନାକ୍‌) ସମେତ ବିଭିନ୍ନ ସ୍ୱୀକୃତି ନିମନ୍ତେ ସୋଆ ପକ୍ଷରୁ କଲେଜକୁ ପ୍ରସ୍ତୁତ କରାଯିବ। ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀମାନଙ୍କର ପ୍ଲେସ୍‌ମେଣ୍ଟ୍‌ ନିମନ୍ତେ ତାଲିମ କାର୍ଯ୍ୟକ୍ରମ କରାଯିବ। ସୋଆ ସହଯୋଗରେ ଏନ୍‌ଏସ୍‌ଏସ୍‌ ଏବଂ ଯୋଗ ସମ୍ୱନ୍ଧୀୟ କାର୍ଯ୍ୟ ପରିଚାଳନା କରାଯିବ। କଲେଜରେ ଯୋଗ ଓ ସ୍ୱାସ୍ଥ୍ୟ ସଚେତନତା ସମ୍ୱନ୍ଧୀୟ ଏକ ଉତ୍କର୍ଷ କେନ୍ଦ୍ର ଆରମ୍ଭ କରାଯିବ। ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ସହିତ ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରୋ-ଭାଇସ ଚାନ୍‌ସେଲର ପ୍ରଫେସର ପି.କେ. ନନ୍ଦ ଓ ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର୍‌ ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ମୁଖ୍ୟ ପ୍ରଶାସନିକ ଅଧିକାରୀ (ଚିଫ୍‌ ଆଡମିନିଷ୍ଟ୍ରେଟିଭ୍‌ ଅଫିସର୍‌) ପି.କେ. ପଣ୍ଡାଙ୍କ ସମେତ ପ୍ରଫେସର ଲକ୍ଷ୍ମୀଧର ମହାରଣା, ଡଃ ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ଡଃ ଦୁଃଶାସନ ପରିଡା, ପ୍ରଫେସର ଦିଲୀପ କୁମାର ଭୂୟାଁ, ପ୍ରଫେସର ଅରବିନ୍ଦ ପାଣ୍ଡବ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button