ଗାନ୍ଧୀ-ନେହେରୁ ଓ ସୋନିଆ-ରାହୁଳଙ୍କ କଂଗ୍ରେସ

॥ ଗୋପାଳ ମହାପାତ୍ର ॥ ଦେଶର ସର୍ବପୁରାତନ ରାଜନୈତିକ ଦଳର ସ୍ଥିତି ପରିସ୍ଥିତିି ଏବେ ଭଲ ନାର୍ହି। ଗାନ୍ଧୀ-ନେହେରୁଙ୍କ କଂଗ୍ରେସ ଏବେ ଇତିହାସ ପାଲଟି ଯିବାକୁ ବସିଛି। ଗାନ୍ଧୀ-ନେହେରୁଙ୍କ କଂଗ୍ରେସ ଓ ବର୍ତ୍ତମାନର ସୋନିଆ-ରାହୁଳଙ୍କ କଂଗ୍ରେସକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ସେତେବେଳେ ବା ସ୍ୱାଧୀନତାର ପରବର୍ତ୍ତୀ ସମୟରେ କଂଗ୍ରେସକୁ ମୁକାବିଲା କରିବା ପାଇଁ ରାଜନୈତିକ ଦଳ ନଥିଲେ। କିନ୍ତୁ ଏବେ ସୋନିଆ-ରାହୁଳଙ୍କ କଂଗ୍ରେସ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛି। ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟ ଦଳକୁ ଅଧିକ ଦୁର୍ବଳ କରିବାରେ ଲାଗିଛି। ପାଠକଙ୍କ ମଧ୍ୟରୁ ଅନେକ ଗାନ୍ଧୀ-ନେହେରୁଙ୍କ କଂଗ୍ରେସ ଦେଖିନଥିଲେ ମଧ୍ୟ ଇନ୍ଦିରା, ରାଜୀବ, ନରସିଂହ ଓ ସୀତାରାମ କେଶରୀଙ୍କ କଂଗ୍ରେସକୁ ଦେଖିଛନ୍ତି। ଏବେର ସୋନିଆ-ରାହୁଳଙ୍କ କଂଗ୍ରେସକୁ ମଧ୍ୟ ଦେଖୁଛନ୍ତି। ଗାନ୍ଧୀ ଓ ସୁବାସ ଚନ୍ଦ୍ର ବୋଷଙ୍କ କଥା ଆମେ ଇତିହାସ ଓ ବିଭିନ୍ନ ପୁସ୍ତକ ପୁସ୍ତିକାରୁ ପଢିଛେ। ଖିଲାପତ ଆନ୍ଦୋଳନ କଥା ମଧ୍ୟ ପଢ଼ିଛେ। ଖିଲାପତ ଆନ୍ଦୋଳନ ବେଳେ ଗାନ୍ଧୀଙ୍କ ନେତୃତ୍ୱାଧୀନ ଥିବା କଂଗ୍ରେସ ଭାରତକୁ ମୁସଲମାନ ମାନଙ୍କର ଗୋଲାମ ଭାବରେ ଉପସ୍ଥାପନ କରିବା ପାଇଁ ମଧ୍ୟ ଉଦ୍ୟମ କରିଥିଲା। କିନ୍ତୁ ସ୍ୱାଧୀନତା ପରେ ଓ ଇନ୍ଦିରା ଗାନ୍ଧୀଙ୍କ ପର୍ଯ୍ୟନ୍ତ କଂଗ୍ରେସକୁ ସବୁ ବିଚାର ଧାରାର ଲୋକେ ନିୟନ୍ତ୍ରଣ କରୁଥିଲେ। ଫୁଲଦାନୀରେ ବିଭିନ୍ନ ପ୍ରକାରର ଫୁଲ ସବୁ ସଜାହେବା ଭଳି କଂଗ୍ରେସ ସବୁ ବିଚାର ଧାରାରେ ଏକ ଫୁଲତୋଡ଼ା ଭଳି ଥିଲା।

ଏବେ କିନ୍ତୁ ସୋନିଆ ଗାନ୍ଧୀଙ୍କ କଂଗ୍ରେସରେ ଏଭଳି ଅବସ୍ଥା ନାହିଁ। ନରସିଂହ ଓ ସୀତରାମ କେଶରୀଙ୍କ ନେତୃତ୍ୱରେ କ୍ରମାଗତ ଭାବରେ ଦୁଇଥର ଲୋକସଭା ନିର୍ବାଚନରେ ହାରିବା ପରେ ୧୯୯୮ରେ କଂଗ୍ରେସ ଦଳର ପଞ୍ଚମଢି ସମ୍ମିଳନୀରେ ଦଳ ଏକାକୀ ନିର୍ବାଚନ ଲଢିବ ବୋଲି ନିଷ୍ପତ୍ତି ନେଇଥିଲା। ଫଳରେ ଦଳ ନିଜର ସ୍ଥିତି ମଜଭୁତ କରିପାରିବ ବୋଲି ଉକ୍ତ ସମ୍ମିଳନୀରେ ନେତାମାନେ ମତ ଦେଇଥିଲେ। କିନ୍ତୁ ଜୟଲଳିତାଙ୍କ ସହମିଶି ବାଜପେୟୀଙ୍କ ସରକାରକୁ ଭାଙ୍ଗିବା ପରେ ମଧ୍ୟ କଂଗ୍ରେସ ୧୯୯୯ରେ ତୃତୀୟ ଥର ପାଇଁ ନିର୍ବାଚନରେ ହାରିଯାଇଥିଲା। ୨୦୦୩ ମସିହା ଜୁନ୍ ମାସରେ ସୋନିଆ ଗାନ୍ଧୀ ସିମଳାରେ ଦଳର ବୈଠକ ଡାକିଥିଲେ ଓ ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ କରି ନିର୍ବାଚନ ଲଢିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ମଧ୍ୟ କାମ ଦେଇଥିଲା। ସାଇନିଙ୍ଗ୍ ଇଣ୍ଡିଆ ସତ୍ତ୍ୱେ ୨୦୦୪ରେ ବାଜପେୟୀ ହାରିଯାଇଥିଲେ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ସରକାର ପାଇଁ ବାଟ ଖୋଲିଯାଇଥିଲା। ଏଇଠାରୁ ଆରମ୍ଭ ହେଲା ନୂଆ ପ୍ରକାରର ତୁଷ୍ଟିକରଣର ରାଜନୀତି। ଦେଶର ସମ୍ବିଧାନ ଉପରେ ମୁସଲମାନ ମାନଙ୍କର ପ୍ରଥମ ହକ୍‌ର ରାଜନୀତି ଆରମ୍ଭ ହୋଇଗଲା। ସେତେବେଳେ ଦୁଷ୍ଟିକରଣର ଏହି ରାଜନୀତିକୁ ବିରୋଧ କରିବା ପାଇଁ କୌଣସି କଂଗ୍ରେସ ନେତା ଆଗଭର ହେଲେ ନାହିଁ କି ବିରୋଧ ମଧ୍ୟ କଲେ ନାହିଁ। ସେକୁଲାରିଜିମ୍ ବା ଧର୍ମ ନିରପେକ୍ଷ ନାମରେ ମୁସଲିମ୍ ତୁଷ୍ଟିକରଣକୁ ଗୁରୁତ୍ୱ ଦେଉଥିବା ଗାନ୍ଧୀ ଏବଂ ନେହେରୁଙ୍କ ଆଗରେ ସ୍ୱାମୀ ଶ୍ରଦ୍ଧାନନ୍ଦ, ସଂପୂର୍ଣ୍ଣାନନ୍ଦ, ସର୍ଦ୍ଦାର ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ରବିଶଙ୍କର ଶୁକ୍ଳା ଏବଂ କହ୍ନେୟା ଲାଲମୁନସୀ ହିନ୍ଦୁମାନଙ୍କ ସ୍ୱାର୍ଥ ପାଇଁ ଠିଆ ହୋଇଯାଉଥିଲେ। ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ନେତା ତଥା ନେହେରୁଙ୍କ କ୍ୟାବିନେଟର ମନ୍ତ୍ରୀ ଥିବା କହ୍ନେୟା ଲାଲ ମୁନସୀ ପରବର୍ତ୍ତୀ ସମୟରେ ନେହେରୁଙ୍କ ମୁସଲିମ୍ ପ୍ରୀତି କାରଣରୁ କଂଗ୍ରେସରୁ ଇସ୍ତଫା ଦେଇ ଜନସଂଘରେ ଯୋଗ ଦେଇଥିଲେ।

ସେହିଭଳି ଇନ୍ଦିରା ଗାନ୍ଧୀଙ୍କ ସମୟ ପର୍ଯ୍ୟନ୍ତ ଏନବି ଗାଡ଼ଗିଲ ଏବଂ ତାଙ୍କ ପୁତ୍ର ବି ଏନ ଗାଡଗିଲ, ନରସିଂହ ରାଓ, କମଳାପତି ତ୍ରିପାଠୀ, ନବଲ କିଶୋର ଶର୍ମା, ଶ୍ୟାମାଚରଣ ଶୁକ୍ଳା ପ୍ରମୁଖ ହିନ୍ଦୁ ମାନଙ୍କ ସ୍ୱର ପାଲଟିଥିଲେ ଓ ମୁସଲିମ୍ ତୁଷ୍ଟିକରଣ ନୀତିକୁ କିଛି ପରିମାଣରେ ରୋକିବାରେ ସଫଳ ହୋଇଥିଲେ। କଂଗ୍ରେସରେ ଥିବା ମୁସଲିମ୍ ନେତାମାନେ ନରସିଂହ ରାଓଙ୍କୁ ବାବ୍ରୀ ମସଜିଦ୍ ଭଙ୍ଗ ପାଇଁ ଦାୟୀ କରିଥିଲେ। ଇନ୍ଦିରା ଗାନ୍ଧୀ ଯଦିଓ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାପାଇଁ ମୁସଲିମ୍ ତୁଷ୍ଟିକରଣ ରାଜନୀତି କରୁଥିଲେ ତଥାପି ହିନ୍ଦୁଙ୍କ ସ୍ୱାର୍ଥ ବିରୁଦ୍ଧରେ କୌଣସି କାର୍ଯ୍ୟ କରିନାହାଁନ୍ତି । ନରସିଂହରାଓ, କମଳାପତି ତ୍ରିପାଠୀ, ଗଡଗିଲ, ଏନକେପି ସାଲଭେ, ନବଲ କିଶୋର ଶର୍ମା, ଶ୍ୟାମାଚରଣ ଶୁକ୍ଳା ଏବଂ ବିଦ୍ୟାଚରଣ ଶୁକ୍ଳା ପ୍ରମୁଖ ଇନ୍ଦିରାଙ୍କ ଛତ୍ରଛାୟା ତଳେ ରହିଥିଲେ। କିନ୍ତୁ କଂଗ୍ରେସ ନେତୃତ୍ୱ ସୋନିଆ ଗାନ୍ଧୀଙ୍କ ହାତକୁ ଆସିବା ପରଠାରୁ ସବୁ କିଛି ବଦଳି ଯାଇଛି। କଂଗ୍ରେସ ଏବେ ଖୋଲାଖୋଲି ଭାବରେ ମୁସଲିମମାନଙ୍କୁ ସବୁ କଥାରେ ସମର୍ଥନ ଦେଇଚାଲିଚି ଓ ହିନ୍ଦୁଙ୍କ ସ୍ୱାର୍ଥହାନୀ କରିଚାଲିଛି। ସୋନିଆ ଗାନ୍ଧୀଙ୍କ ଚାପରେ ଡକ୍ଟର ମନମୋହନ ସିଂହ ୯୩ତମ ସଂବିଧାନ ସଂଶୋଧନ ଜରିଆରେ ମୁସଲିମ୍ ଓ ଖ୍ରୀଷ୍ଟିଆନ ଶିକ୍ଷା ସଂସ୍ଥାନ ବ୍ୟତୀତ ଅନ୍ୟ ସବୁ ଘରୋଇ ଶିକ୍ଷା ସଂସ୍ଥାରେ ଗରୀବ ପିଲାଙ୍କ ପାଇଁ ୨୫ପ୍ରତିଶତ ଆସନ ସଂରକ୍ଷଣ କରାଇଥିଲେ । ଅର୍ଥାତ୍ ହିନ୍ଦୁଙ୍କ ମାଲିକାନାରେ ଥିବା ଶିକ୍ଷା ସଂସ୍ଥାରେ ସଂରକ୍ଷଣ ବାଧ୍ୟତାମୂଳକ । ସେତେବେଳେ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ କଥା ମଧ୍ୟ ଭୁଲି ଯାଇଥିଲେ। ଏହା କ’ର ସିକୁଲାରିଜିମ୍‌ ? ସୋନିଆ-ମନମୋହନ ସରକାର ଶିକ୍ଷା ଅଧିକାର ଆଇନରେ ମୁସଲିମ୍ -ଖ୍ରୀଷ୍ଟିଆନଙ୍କୁ ରିହାତି ଦେଇଦେଲେ। ଏଇଟା ବି କ’ଣ ସିକୁଲାରିଜିମ୍‌ ? ପୂର୍ବତନ ରାଷ୍ଟ୍ରପତି ତାଙ୍କ ଲିଖିତ ପୁସ୍ତକରେ ଲେଖିଛନ୍ତି ୨୦୦୪ରେ ଶଙ୍କରାଚାର୍ଯ୍ୟଙ୍କୁ ଗିରଫ କରାଯିବା ପଛରେ ହିନ୍ଦୁ ବିରୋଧୀ ଷଡ଼ଯନ୍ତ୍ର ଏବଂ ସୋନିଆଙ୍କ ହାତଥିଲା। ଅନ୍ୟ ଏକ ଘଟଣାକ୍ରମ ହେଉଛି ସମଝୋତା ବିସ୍ଫୋରଣ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡି ଦିଆଯାଇଥିଲା। ଏପରିକି କଂଗ୍ରେସପକ୍ଷରୁ ‘ଗେରୁଆ ଆତଙ୍କବାଦ’ ଶବ୍ଦ ସୃଷ୍ଟି କରାଯାଇଥିଲା । ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରିବା ପାଇଁ ଏକ ଶପଥପାଠ ମଧ୍ୟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।

ରାହୁଳ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଯେତେବେଳେ ଅଶୋକ ଗେହେଲଟଙ୍କ ପରାମର୍ଶକ୍ରମେ ମନ୍ଦିର ବୁଲିଥିଲେ କିନ୍ତୁ କଂଗ୍ରେସ ମୁସଲିମ୍ ମାନସିକତାକୁ ଛାଡିପାରିନଥିଲା। ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଜାମ୍ମୁ-୨୦୧୮ ମସିହା ଜୁଲାଇ ୧୨ ତାରିଖରେ ଏକ ସମ୍ବାଦ ପ୍ରକାଶ ପାଇଥିଲା। ସମ୍ବାଦଟି ଥିଲା ଜୁଲାଇ ୧୧ ତାରିଖରେ ରାହୁଳ ଗାନ୍ଧୀ ୧୨ ତୋଗଲକ ଲେନସ୍ଥିତ ତାଙ୍କ ବାସଭବନରେ ମୁସଲିମ୍ ବୁଦ୍ଧିଜୀବୀମାନଙ୍କର ଏକ ବୈଠକ ଡକାଇଥିଲେ। ରାହୁଳ ବୈଠକରେ ମୁସଲିମ୍ ବୁଦ୍ଧିଜୀବୀମାନଙ୍କୁ ସେମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସେହି ସମୟରେ ମୁସଲିମ୍ ନେତାମାନେ ରାହୁଳଙ୍କ ମନ୍ଦିର ଯିବା କଥାକୁ ନେଇ ପ୍ରଶ୍ନ ଉଠାଇବାରୁ ରାହୁଳ ଗାନ୍ଧୀ ସେ ପାଇଁ କ୍ଷମା ଲାଗି କର୍ଣ୍ଣାଟକରେ କେତେକ ମସଜିଦ୍ ଯାଇଥିଲେ ବୋଲି ସ୍ପଷ୍ଟିକରଣ ଦେଇଥିଲେ ଓ ପୁଣି କେତେକ ମସଜିଦ୍ ଯିବେ ବୋଲି କହିଥିଲେ। ଏ ପ୍ରସଙ୍ଗରେ ସେତେବେଳେ ବିଭିନ୍ନ ଜାତୀୟ ସ୍ତରର ସମ୍ବାଦପତ୍ରରେ ସମ୍ବାଦମାନ ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ ସମ୍ପୃକ୍ତ ଇନକିଲାବ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା ୨୦୧୯ର ନିର୍ବାଚନରେ କଂଗ୍ରେସ ଯଦି ଶାସନ ଗାଦିକୁ ଆସେ ତେବେ ଦେଶର ସବୁ ଜିଲ୍ଲାରେ ସରିଆ ଅଦାଲତ ପ୍ରତିଷ୍ଠା କରାଯିବ। ଇନକିଲାବ ସମ୍ବାଦପତ୍ରର ମାଲିକ ରାହୁଳ ଗାନ୍ଧୀଙ୍କ ବୈଠକରେ ସାମିଲ ଥିଲେ। କିନ୍ତୁ ପରେ ଚାପରେ ପଡି କଂଗ୍ରେସ ଇନକିଲାବରେ ପ୍ରକାଶିତ ସମ୍ବାଦକୁ ଖଣ୍ଡନ କରିଥିଲା।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ କଂଗ୍ରେସର ମୁସଲିମ୍ ପ୍ରୀତି ପୁଣି ପଦାକୁ ଆସିଛି। କଂଗ୍ରେସ ମୁସଲିମ୍ କଠୋରପନ୍ଥୀ ନେତା ଆବାସ ସିଦିକି ଓ ଆସାମରେ କଦରୁଦିନ ଆଜମଲଙ୍କ ସହ ମେଣ୍ଟ କରିଛି। ଏକଥାରୁ ଇନକିଲାବରେ ପ୍ରକାଶିତ ସମ୍ବାଦ ସତ୍ୟ ବୋଲି ଯେ କେହି ଭାବିବେ ନିଶ୍ଚୟ । ଆବାସ ସିଦ୍ଦିକି ହେଉଛନ୍ତି ସେହି ବ୍ୟକ୍ତି ଯିଏ ୫୦ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରି ପଶ୍ଚିମବଙ୍ଗକୁ ମୁସଲିମ୍ ରାଜ୍ୟରେ ପରିଣତ କରିବାପାଇଁ ଘୋଷଣା କରିଥିଲେ। ଫ୍ରାନ୍ସରେ ଇସଲାମିକ୍ କଠୋରପନ୍ଥୀମାନଙ୍କ ଦ୍ୱାରା ଜଣେ ଶିକ୍ଷକଙ୍କୁ ହତ୍ୟା କରାଯିବା ଓ ମହମ୍ମଦଙ୍କ କାର୍ଟୁନ ଛାପିଥିବା ପତ୍ରିକାର ୧୨ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯିବା ଘଟଣାକୁ ଆବାସ ମଧ୍ୟ ସମର୍ଥନ କରିଥିଲେ। ଯଦିଓ ଆବାସ ତାଙ୍କ ଦଳର ନାମ ଇଣ୍ଡିଆନ ସେକୁଲାର ପାର୍ଟି ରଖିଛନ୍ତି କିନ୍ତୁ ଭାରତରେ ସେକୁଲାରର ଅର୍ଥ ହିନ୍ଦୁ ବିରୋଧ। ସେହିପରି କଦରୁଦ୍ଦିନ ଆଜମଲ ମଧ୍ୟ ଆସାମରେ ହିନ୍ଦୁ ବିରୋଧୀ ରାଜନୀତି କରୁଛନ୍ତି।

କଂଗ୍ରେସରେ ଏବେ ବରିଷ୍ଠ ନେତା ଆନନ୍ଦ ଶର୍ମା କଂଗ୍ରେସ ପଶ୍ଚିମବଙ୍ଗରେ ଆବାସ ସିଦ୍ଦିକ ସହମେଣ୍ଟ କରିବା କଥାକୁ ନେଇପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ କଂଗ୍ରେସରେ ସବୁ ବିଚାର ଧାରାର ନେତାଥିଲେ। କିନ୍ତୁ ନରସିଂହ ରାଓଙ୍କ ପରଠାରୁ କଂଗ୍ରେସରେ ହିନ୍ଦୁଙ୍କ ସପକ୍ଷରେ ସ୍ୱର ଉଠାଇବା ଲୋକ (ନେତା) ଆଉ ନାହାଁନ୍ତି। ପ୍ରଣବ ମୁଖାର୍ଜୀଙ୍କ ଭଳି ନେତା ମଧ୍ୟ ସ୍ୱର ଉଠାଇ ପାରୁନଥିଲେ। କିନ୍ତୁ ରାଷ୍ଟ୍ରପତି ହେବା ପରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରିôଥଲେ ଓ ରାଷ୍ଟ୍ରପତି ପଦରୁ ଅବ୍ୟାହତ ନେବା ପରେ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ସୋନିଆ ଗାନ୍ଧୀଙ୍କ ମୁସଲିମ୍ ମାନସିକତା ବାବଦରେ ଅନେକ କଥା କହିଥିଲେ। ଆନନ୍ଦ ଶର୍ମା ଏବେ ଯେଉଁ ସ୍ୱର ଉଠାଇଛନ୍ତି ତାର କାରଣ ହୁଏତ ତାଙ୍କୁ ରାଜ୍ୟସଭାରେ ବିରୋଧୀ ଦଳର ନେତା ନକରାଯିବା ହୋଇପାରେ। କିନ୍ତୁ ୧୯୯୮ରେ ସୋନିଆ କଂଗ୍ରେସର ଅଧ୍ୟକ୍ଷା ହେବା ପରଠାରୁ କେହି ବି ନେତା କେବେ ଏଭଳି ପ୍ରଶ୍ନ ଉଠାଇ ନଥିଲେ। ଏଣୁ କଂଗ୍ରେସରେଥିବା ହିନ୍ଦୁଙ୍କ ପାଇଁ ଏହା ଆଶାର କିରଣ ନିଶ୍ଚୟ। କିନ୍ତୁ ପ୍ରଶ୍ନ ଉଠୁଛି କଂଗ୍ରେସର ହିନ୍ଦୁ ନେତା ଆନନ୍ଦ ଶର୍ମାଙ୍କ ପଛରେ ଅନ୍ୟ ନେତାମାନେ ଠିଆ ହେବେ ତ ? ଯଦି ଆନନ୍ଦ ଶର୍ମାଙ୍କୁ ଅନ୍ୟ ନେତାମାନେ ସମର୍ଥନ ନକରିବେ ତେବେ ଏକାକୀ କେତେ ଦିନ ଲଢେଇ କରିପାରିବେ ଆନନ୍ଦ ଶର୍ମା ?

ରାମଚନ୍ଦ୍ରପୁର,ରଣପୁର
୯୪୩୮୪୮୫୦୯୪

Leave a Reply

Your email address will not be published. Required fields are marked *

Back to top button