Breaking Newsରାଜ୍ୟ

ଗଞ୍ଜାମ,ଖୋର୍ଦ୍ଧା, କଟକ ଓ ଯାଜପୁର ୩୧ ଯାଏଁ ଲକଡାଉନ୍‌

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଆଜି କଠୋର ନିଷ୍ପତ୍ତି ନେଇଛନ୍ତି। ରାଉରକେଲା ମ୍ୟୁନିସପାଲଟି ସମେତ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି। ଆସନ୍ତାକଲି ୧୭ ତାରିଖ ରାତି ୯ଟାରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ୍ କଡ଼ାକଡ଼ି ପାଳନ ହେବ । ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଗୁରୁବାର ଶ୍ରୀ ତ୍ରିପାଠୀ କହିଛନ୍ତି ରାଜ୍ୟରେ ଯେତିକି ଲୋକ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ରାଉରକେଲା ମ୍ୟୁନିସପାଲଟି ଓ ଅନ୍ୟ ୪ଟି ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା,କଟକ ଓ ଯାଜପୁର ଜିଲ୍ଲାରେ ଶତପ୍ରତିଶତ ଅଂଚଳରେ ୬୬ ପ୍ରତିଶତ ସଂକ୍ରମିତ ମାମଲା ଚିହ୍ନଟ ହେଉଥିବାରୁ ଏସବୁ ଅଂଚଳରେ ସରକାର କେତେକ କଠୋର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ଲକଡାଉନବେଳେ ସଂକ୍ରମିତ ସଂଖ୍ୟାକୁ ହ୍ରାସ କରିବା ଦିଗରେ ପଦକ୍ଷେପ ନିଆଯିବ। ସଂକ୍ରମିତଙ୍କ ଚିହ୍ନଟ, ପରୀକ୍ଷା ଓ ଆଇସୋଲେସନ ନିମନ୍ତେ ପଦକ୍ଷେପ ନିଆଯିବ। ଏହି ୪ଟି ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ। ଏହି ୧୪ଦିନ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ ଅନ୍ୟ ଜିଲ୍ଲାର ଲୋକମାନେ ପ୍ରବେଶ କରିବେ ନାହିଁ। ସେଥିପାଇଁ ଆସନ୍ତାକାଲି ଏକ ବୈଠକ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ।

ଏହି ଅବଧି ମଧ୍ୟରେ ରାଉରକେଲା ଓ ଅନ୍ୟ ୪ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ଜିଲ୍ଲାପାଳମାନେ ଚାହିଁଲେ ନିଜସ୍ୱ କଟକଣା ମଧ୍ୟ ଜାରି କରିପାରିବେ। ଏହି ଅବଧି ମଧ୍ୟରେ ଲୋକଙ୍କ ଯାତାୟତ ଉପରେ କଟକଣା ରହିବା ସହ ସରକାରୀ, ଘରୋଇ ଅଫିସଗୁଡ଼ିକ ଓ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। ତେବେ ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ଅଫିସ୍ , ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ଜରୁରୀ ସେବା,ଇ-କମର୍ସ, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି।

ଆଇଟି,ଅର୍ଥନୀତିକ ଗତିବିଧି ଓ ଶିଳ୍ପାଂଚଳରେ ଆବଶ୍ୟକ ଗତିବିଧି ରହିବ। ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲା ରହିବ। ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ସମସ୍ତେ ଏହି ଲକଡାଉନ୍ ନିୟମକୁ ପାଳନ କରିବେ। ଯଦି କେହି ଏହାକୁ ଉଲ୍ଳଘଂନ କରନ୍ତି ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ମୋଟ ୩ ଲକ୍ଷ ୬୧ହଜାର ୯୨୦ଟି କୋଭିଡ-୧୯ ନମୂନା ପରୀକ୍ଷା କରାଯାଇଛି। ଏବେସୁଦ୍ଧା ୧୫,୩୯୨ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ୪୦୧ଜଣ ବ୍ୟକ୍ତିଙ୍କ ସମେତ ମୋଟ ୧୦,୮୭୭ ଜଣ ରୋଗୀ ଡାକ୍ତରଖାନାରୁ ଫେରିଛନ୍ତି। ୭୯ଜଣ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ୪୪୧୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ୪୮୧୩ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ହସ୍ପିଟାଲ ଆଇସୋଲେସନରେ ରହିଛନ୍ତି।

ମତାମତ ଦିଅନ୍ତୁ ।

Back to top button