ଗଞ୍ଜାମରେ ଦଣ୍ଡନାଚ ପାଇଁ ୨୫ ଜଣଙ୍କୁ ଅନୁମତି

ବ୍ରହ୍ମପୁର : ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି। ସେହି କ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଛି ପଦକ୍ଷେପ। ଦଣ୍ଡନାଚ ପାଇଁ ମାତ୍ର ୨୫ ଜଣଙ୍କୁ ମିଳିବ ଅନୁମତି। ମା’ ତାରାତାରିଣୀ ମନ୍ଦିରରେ ମୁଣ୍ଡନ କାର୍ଯ୍ୟକୁ ବାରଣ କରାଯାଇଥିବା ବେଳେ ଦୋକାନୀମାନଙ୍କୁ ସାମାଜିକ ଦୂରତା ପାଇଁ ପଂଚସୂତ୍ର ଗାଇଡଲାଇନ୍‌ ପାଳନ କରିବାକୁ ହେବ ବୋଲି କୁହାଯାଇଛି।

ସେହିପରି ଜିଲ୍ଲା ପ୍ରଶାସନ ଜାରି କରିଥିବା ଏସ୍‌ଓପି ଅନୁଯାୟୀ ଦଣ୍ଡନାଚ ସମୟରେ ଅପେରା, ଯାତ୍ରା, ଡିଜେ, ଡାକବାଜି ଯନ୍ତ୍ର, ମେଳା, ନୃତ୍ୟ, ଗୀତ, ଭିଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଦଣ୍ଡନାଚରେ କେବଳ ପ୍ରଥା ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ। ଯେଉଁ ଗ୍ରାମରେ ମେରୁ ଓ କଳସ ଯାତ୍ରା ସମ୍ପନ୍ନ ହେବ ସେଥିରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ବିଭିନ୍ନ ମନ୍ଦିର ଓ ଧାର୍ମିକସ୍ଥଳରେ କେବଳ ଠାକୁରଠାକୁରାଣୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ। କୌଣସି ପରିସ୍ଥିତିରେ ସେଠାରେ ୧୦ରୁ ଅଧିକ ଲୋକ ରୁଣ୍ଡ ହୋଇପାରିବେ ନାହିଁ। ଏହି ସମୟରେ ସମସ୍ତ ଭକ୍ତ ଓ ଦଣ୍ଡୁଆ ସାମାଜିକ ଦୂରତ୍ଵ ରକ୍ଷା କରିବା ସହ ମୁହଁରେ ମାସ୍କ୍ ପିନ୍ଧିବେ ଓ ହାତକୁ ସାନିଟାଇଜ୍ କରିବେ।

Leave a Reply

Your email address will not be published. Required fields are marked *

Back to top button