ହାଇକୋର୍ଟ କହିଲେ ନିର୍ବାଚନ ରାଲିରେ ‘ମାସ୍କ୍‌’ କାହିଁକି ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ କେତୋଟି ରାଜ୍ୟ କଠୋର କଟକଣା ଲାଗୁ କରିସାରିଲେଣି। କିନ୍ତୁ ସାମାଜିକ ଗଣମାଧ୍ୟମ ଓ ମୁଖ୍ୟ ଗଣମାଧ୍ୟମରେ ଯେଉଁ ନେତା ଓ ମନ୍ତ୍ରୀମାନେ ସଚେତନତା କଥା କହୁଛନ୍ତି ସେମାନେ ନିର୍ବାଚନ ରାଲିବେଳେ ଏସବୁ ପାଳନ କରୁ ନାହାନ୍ତି। ଲୋକେ ଏ ବିଷୟରେ କହୁଥିଲେ। ଏବେ ଦିଲ୍ଲୀ ହାଇକୋର୍ଟ ଏହାକୁ ନେଇ ପ୍ରଶ୍ନ ଉଠାଇଛି।

ଗୁରୁବାର କୋର୍ଟ ନିର୍ବାଚନ କମିସନ୍‌ଙ୍କୁ କହିଛନ୍ତି କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଥିବା ନିର୍ବାଚନ ପ୍ରଚାର ଅଭିଯାନରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଲାଗି ‘ମାସ୍କ୍‌’ ପିନ୍ଧିବା ବାଧ୍ୟତାମୂଳକ କରାଯାଉନାହିଁ କାହିଁକି। କେବଳ ସେତିକି ନୁହେଁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ୍‌ ଓ ବିଚାରପତି ଯଶମୀତ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ଜବାବ ତଲବ କରିଛନ୍ତି।

ଉତ୍ତର ପ୍ରଦେଶର ପୂର୍ବତନ ଡିଜିପି ତଥା ‘ସେଣ୍ଟର୍‌ ଫର୍‌ ଆକାଉଣ୍ଟାବିଲିଟି ଆଣ୍ଡ୍‌ ସିଷ୍ଟମେଟିକ୍‌ ଚେଞ୍ଜ୍‌’ର (ସିଏଏସ୍‌ସି) ଅଧ୍ୟକ୍ଷ ବିକ୍ରମ ସିଂହଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନୋଟିସ୍‌ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କାଉନ୍‌ସେଲ୍‌ ଅନୁରାଗ ଆଲୁଓ୍ଵାଲିଆ ନୋଟିସ୍‌ ଗ୍ରହଣ କରିଛନ୍ତି। ସିଂହଙ୍କ ତରଫରୁ ଆଡ୍‌ଭୋକେଟ୍‌ ବିରାଗ ଗୁପ୍ତା ହାଜର ହୋଇ ଖଣ୍ଡପୀଠଙ୍କୁ କହିଲେ ବିଧାନସଭା ନିର୍ବାଚନ ସମୟରେ ବାଧ୍ୟତାମୂଳକ ଭାବେ ମାସ୍କ୍‌ ପରିଧାନ ଓ ସାମାଜିକ ଦୂରତ୍ୱ ବଜାୟ ରହିବା ଆବଶ୍ୟକ। ଏନେଇ ନିର୍ବାଚନ କମିସନ୍‌ ଡିଜିଟାଲ୍‌, ପ୍ରିଣ୍ଟ୍‌ ଓ ଇଲେକ୍ଟ୍ରୋନିକ୍‌ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଉଚିତ। ଏହି ଆବେଦନର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୩୦ ତାରିଖରେ ହେବ ବୋଲି ଦିନ ଧାର୍ୟ୍ୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button