ହାଥରସ ଗଣଦୁଷ୍କର୍ମ : ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ପାଲଟିବ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହାଥରସରେ ଗଣଦୁଷ୍କମର ଶିକାର ହୋଇଥିବା ପୀଡିତାର ମୃତ୍ୟୁ ପରେ ଏହାକୁ ନେଇ ଦେଶରେ ଅସନ୍ତୋଷର ନିଆଁ ଜଳୁଛି। ପୀଡିତାଙ୍କ ଗାଁକୁ କାହାରିକୁ ଛଡାଯାଉନି। ଗଣମାଧ୍ୟମର ପ୍ରବେଶ ଉପରେ ମଧ୍ୟ ପୋଲିସ ଲଗାଇଛି କଟକଣା। ସବୁଆଡେ ଜୋରଦାର ବିରୋଧ ପ୍ରଦର୍ଶନ ଚାଲିଛି। ବିରୋଧୀ କରୁଛନ୍ତି ସମାଲୋଚନା। ଏସବୁ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିରବତା ଭଙ୍ଗକରି ବଡ ଘୋଷଣା କରିଛନ୍ତି। ଶୁକ୍ରବାର ଟ୍ଵିଟ୍ କରି କହିଛନ୍ତି ମା-ଭଉଣୀଙ୍କ ସୁରକ୍ଷା ଓ ସମ୍ମାନ ସର୍ବୋପରି। ଏହି ଘଟଣାରେ ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ସୃଷ୍ଟି କରିବ। ପ୍ରତ୍ୟେକ ମା ଓ ଭଉଣୀଙ୍କ ସୁରକ୍ଷା ପାଇଁ ଆମେ ସଂକଳ୍ପବଦ୍ଧ। ଏହା ଆମର ସଂକଳ୍ପ ଓ ଏହା ହିଁ ବଚନ।

ଅନ୍ୟପକ୍ଷରେ ପୀଡିତାଙ୍କ ଗାଁକୁ ପୋଲିସ ଛାଉଣି କରି ରଖିଛି। ଜିଲ୍ଲାରେ ଲାଗୁ ହୋଇଛି ୧୪୪ ଧାରା। ଏପରିକି ପୀଡିତାଙ୍କ ଗାଁ ଲୋକଙ୍କୁ ପରିଚୟ ପତ୍ର ଦେଖାଇଲେ ପ୍ରବେଶ ଅନୁମତି ମିଳୁଛି। ପ୍ରଶାସନର ଏହି ଆଭିମୁଖ୍ୟ ପାଇଁ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆମ ଗାଁରେ ଆମକୁ ଅପରାଧୀଙ୍କ ପରି ବ୍ୟବହାର କରାଯାଉଛି ବୋଲି କହୁଛନ୍ତି।

ଏହାଛଡା ହାଥରସ ଜିଲ୍ଲାପାଳଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଜିଲ୍ଲାପାଳ ପୀଡିତାଙ୍କ ପରିବାରକୁ କହୁଛନ୍ତି ମିଡିଆ ଆଜି ଏଠାରେ ଅଛି, କାଲି ନଥିବେ। ଆପଣ ସରକାରଙ୍କ କଥା ମାନି ନିଅନ୍ତୁ। ଏହି ଭିଡିଓ ଭାଇରାଲ ପରେ ପରିବାରର କୌଣସି ସଦସ୍ୟଙ୍କୁ ବାହାରକୁ ଯିବାକୁ ଦିଆଯାଉ ନାହିଁ। ପୀଡିତାଙ୍କ ବାପା ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ କହିଛନ୍ତି ଏବେ ଆଉ ୟୁପି ପୋଲିସ ଉପରେ ଆମର ଭରସା ନାହିଁ। ଆମକୁ ମିଡିଆ ସହ ଭେଟିବାକୁ ଦିଆଯାଉନାହିଁ। ଘରୁ ବାହାରବାକୁ ଚେଷ୍ଟା କଲେ ବିଭିନ୍ନ ପ୍ରଶ୍ନ କରାଯାଉଛି।

ମତାମତ ଦିଅନ୍ତୁ ।