ଇସ୍ତଫା ଜିଦ୍‌ରେ ସୋନିଆ ଅଟଳ

ନୂଆଦିଲ୍ଲୀ : ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ୨୦ରୁ ଅଧିକ ବରିଷ୍ଠ ନେତା ଚିଠି ଲେଖିବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଜି ଦଳର କାର୍ଯ୍ୟକାରୀଣି କମିଟି ବୈଠକ ଆରମ୍ଭରୁ ସୋନିଆ ଇସ୍ତଫା ଦେବାକୁ ଚାହୁଁଥିବା ଘୋଷଣା କରିଥିଲେ। ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନୋହନ ସିଂହ ଓ ବରିଷ୍ଠ ନେତା କେସି ଭେନୁଗୋପାଲ ବିରୋଧ କରିଥିଲେ। ତେବେ ସୋନିଆ ନିଜ ଜିଦ୍‌ରେ ଅଟଳ ରହିବା ସହ ନୂଆ ଅଧ୍ୟକ୍ଷ ବାଛିବା ପ୍ରକ୍ରିୟା ଆରମ୍ଭ କରିବାକୁ କାର୍ଯ୍ୟକାରିଣୀ କମିଟିକୁ କହିଛନ୍ତି। ଆଉ ନୂଆ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ସୋନିଆ ସହମତି ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ କାର୍ଯ୍ୟକାରିଣୀ କମିଟି ବୈଠକରେ ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ଲେଖାଯାଇଥିବା ଚିଠିକୁ ନେଇ ରାହୁଲ ଗାନ୍ଧି। ପ୍ରଶ୍ନ ଉଠାଛନ୍ତି। ଅଭିଯୋଗ କରିଛନ୍ତି କିଛି ବରିଷ୍ଠ କଂଗ୍ରେସ ନେତା ବିଜେପି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି। ଏହାକୁ ନେଇ ବୈଠକରେ ଉପସ୍ଥିତ ଗୁଲାମ ନବୀ ଆଜାଦ ତୀବ୍ର ପ୍ରତିବାଦ କରିଥିବା ବେଳେ କପିଲ ଶିବଲ ଟ୍ୱିଟ କରି ରାହୁଲଙ୍କ ବକ୍ତବ୍ୟକୁ ନାପସନ୍ଦ କରିଛନ୍ତି।

ବୈଠକରେ ରାହୁଲ କହିଲେ ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ନେତୃତ୍ୱ ପରିବର୍ତ୍ତନ ଚିଠି କାହିଁକି ଲେଖାଗଲା ? ଏଭଳି ସମୟରେ ଚିଠି ଲେଖାଯିବା ଠିକ କି ? ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ଲଢ଼େଇ କରୁଥିବା ବେଳେ କାହିଁକି ଚିଠି ଲେଖାଗଲା ? ଚିଠି ଲେଖିଯିବା ସମୟକୁ ନେଇ ମୁଁ ବେଶ ମର୍ମାହତ। ଦଳର ସହ ମତପାର୍ଥକ୍ୟ ସୃଷ୍ଟି କରିଥିବା ବରିଷ୍ଠ ନେତାମାନେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ବିଜେପି କଥାରେ ସେମାନେ ଏପରି ଚିଠି ଲେଖିଥିବା ମୋର ସନ୍ଦେହ ହେଉଛି ବୋଲି ରାହୁଲ କହିଥିଲେ।

ରାହୁଲଙ୍କ ଏପରି ମତକୁ ନେଇ ଗୁଲାମ ନବୀ ଆଜାଦ ତୀବ୍ର ବିରୋଧ କରିଥିଲେ। ସେ କହିଥିଲେ ଯଦି ମୁଁ ବିଜେପି ଷଡ଼ଯନ୍ତ୍ରରେ ସାମିଲ ଥିବା ପ୍ରମାଣ ମିଳିବ ତା’ହେଲେ ଇସ୍ତଫା ଦେଇଦେବି। ସେହିପରି
ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ ଟ୍ୱିଟ କରି ନିଜର ଅସନ୍ତୋଷ ପ୍ରକାଶ କରିବ ସହିତ କହିଛନ୍ତି ରାହୁଲ ଗାନ୍ଧି କହୁଛନ୍ତି ଆମେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛୁ। କଂଗ୍ରେସକୁ ରକ୍ଷା କରିବା ପାଇଁ ମୁଁ ରାଜସ୍ଥାନ ହାଇକୋର୍ଟରେ ଲଢ଼େଇ କରି ସଫଳତା ପାଇଥିଲି। ବିଜେପି ସରକାରଙ୍କୁ ମଣିପୁରରେ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସକୁ ଡିଫେଣ୍ଡ କରିଥିଲି। ମୁଁ ରାଜସ୍ଥାନ ଓ ମଣିପୁରରେ କଂଗ୍ରେସ ପାଇଁ ଲଢ଼ିଛି। ଦୀର୍ଘ ୩୦ ବର୍ଷ ଭିତରେ ଏମିତି କୌଣସି ପ୍ରସଙ୍ଗ ନାହିଁ ଯେଉଁଥିରେ ମୁଁ ବିଜେପି ସମର୍ଥନରେ ବୟାନ ଦେଇଥିବି। ଏସବୁ ସତ୍ତ୍ୱେ ମୁଁ ବିଜେପି ସହ ହାତ ମିଳାଇ କଂଗ୍ରେସ ବିରୋଧରେ ଷଡ଼ଯନ୍ତ୍ର କରୁଛି କୁହାଯାଉଛି। ଏହା ନିଶ୍ଚିତ ଅସହ୍ୟ ବୋଲି କପିଲ ଶିବଲ କହିଛନ୍ତି।

ମତାମତ ଦିଅନ୍ତୁ ।