ଜଳଉତ୍ସ ସୁରକ୍ଷା ଦିବସ ପାଳନ

ଭୁବନେଶ୍ୱର : ସହରାଞ୍ଚଳର ସମ୍ପ୍ରସାରଣ ସହିତ ପ୍ରାକୃତିକ ଜଳଉତ୍ସ ଗୁଡିକ କ୍ରମେ ଲୋପ ପାଉଥିବାରୁ ପରିବେଶ ଓ ଜୈବ ବିବିଧତା କ୍ଷେତ୍ରରେ ବିପଦ ସୃଷ୍ଟି ହେଉଛି ବୋଲି ପରିବେଶବିତ ମତ ଦେଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମା ଓ ଜଳଉତ୍ସ ସୁରକ୍ଷା ଦିବସ ପାଳନ ଅବସରରେ ଆଜି ଏକ ଅନଲାଇନ ଆଲୋଚନାଚକ୍ରରେ ମତରଖି ପ୍ରଫେସର ପ୍ରତାପ କୁମାର ରଥ କହିଲେ ଜଳଉତ୍ସ ଗୁଡିକୁ ଦୂଷିତ କରାଗଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ମନୁଷ୍ୟ ସମାଜର କ୍ଷତି କରିବ। ବିଜୁ ପଟ୍ଟନାୟକ କମ୍ପୁଟର ଏକାଡେମୀର ସଭାପତି ସୀତା ବଲ୍ଲଭ ମହାପାତ୍ର କହିଲେ ଧର୍ମଅର୍ଜନ ନାମରେ ଜଳଉତ୍ସ ଗୁଡିକୁ ଦୂଷିତ କରିବା ଆତ୍ମାଘାତୀ କାର୍ଯ୍ୟ ସହ ସମାନ।
ସେହିପରି ଆକାଶବାଣୀ ବାର୍ତ୍ତା ବିଭାଗର ଅବସର ପ୍ରାପ୍ତ ଉପନିର୍ଦେଶକ ସୁଧାଂଶୁ ଶେଖର ଧଡ଼ା କାର୍ତ୍ତିକ ପୂର୍ଣ୍ଣମୀ ଦିନ ପ୍ରାକୃତିକ ତଥା ଅନ୍ୟାନ୍ୟ ଜଳଉତ୍ସ ଗୁଡିକ କୃତ୍ରିମ ଭାବରେ ସର୍ବାଧିକ ଦୂଷିତ ହେଉଥିବାରୁ ଏହାର ସୁରକ୍ଷା ଦିବସ ପାଳନର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ଏହି ଆଲୋଚନା ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଜଳାଶୟ ସଫେଇ କାର୍ଯ୍ୟକ୍ରମକୁ କର୍ପୋରେଟର ନବ କିଶୋର ବେହେରା ଉଦଘାଟନ କରିଥିଲେ। ଆଲୋଚନାଚକ୍ରରେ ଅଧ୍ୟାପକ ଟୀକାୟତ ନାୟକ, ବସନ୍ତ କୁମାର ପଣ୍ଡା, ଦୀପ୍ତିମୟୀ ନାୟକ, ଡ଼ଲଫିନ ପ୍ରଧାନ, ସ୍ମୃତିଶ୍ରୀ ମିଶ୍ର, ସୁଶ୍ରୀ ସଂଗୀତା ଗୋଛାୟତ, ଯଜ୍ଞ ଜ୍ୟୋତି ବେହେରା, ସୁଶାନ୍ତ କୁମାର, ତୃପ୍ତି ନାୟକ, ଲକ୍ସମନ ନାୟକ, ସଦାନନ୍ଦ ନାୟକଙ୍କ ସହିତ ଅମିତ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।