ଜମ୍ମୁ ଓ କାଶ୍ମୀରରେ ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି କଂଗ୍ରେସ : ଅପରାଜିତା

ଭୂବନେଶ୍ୱର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା। ଉଭୟ ଲୋକସଭା ଓ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତବର୍ଷ ଅଗଷ୍ଟ ୫ ତାରିଖ ଦିନ ଦୁଇଟି ଧାରାକୁ ଉଚ୍ଛେଦ କରାଯାଇଛି। ଜାମ୍ମୁ ଓ କାଶ୍ମୀର ଏବଂ ଲଦ୍ଦାଖକୁ ମିଳିଛି କେନ୍ଦ୍ରଶାସିତ ରାଜ୍ୟର ମାନ୍ୟତା। ମାତ୍ର ସ୍ୱାର୍ଥ ହାସଲ ପାଇଁ କିଛି ରାଷ୍ଟ୍ରବିରୋଧୀ ରାଜନୈତିକ ଦଳ ଏକାଠି ହୋଇଛନ୍ତି। ଏପରି ଦେଶବିରୋଧୀ ଅଭିମୁଖ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦାୟକ। ଭାରତୀୟ କଂଗ୍ରେସ ଏହି ରାଷ୍ଟ୍ରବିରୋଧୀ ଦଳମାନଙ୍କ ସହ ସାମିଲ ହେବା ଆହୁରି ଅଧିକ ନିନ୍ଦନୀୟ ଓ ଲଜ୍ଜାଜନକ। ଗୁପକର ଗଠବନ୍ଧନରେ କଂଗ୍ରେସ ଦଳର ଭୁମିକା ବିରାଟ ଦ୍ୱନ୍ଦ ସୃଷ୍ଟି କରିଛି ବୋଲି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୂବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି।

ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ, ପିଡିପି, ପିପୁଲ୍ସ କନଫରେନ୍ସ, ପିପୁଲ୍ସ ମୁଭମେଂଟ, ମାର୍କ୍ସସବାଦୀ କମୁନିଷ୍ଟ ପାର୍ଟୀ, ପିପୁଲ୍ସ ୟୁନାଇଟେଡ ଫ୍ରଂଟ, ପେନ୍ଥର୍ସ ପାର୍ଟୀ ଏବଂ ଜମ୍ମୁ କାଶ୍ମୀର ଆବାମୀ ନ୍ୟାସନାଲ କନଫରେନ୍ସ ଭଳି ୮ଟି ରାଜନୈତିକ ଦଳ ଗତ ଅଗଷ୍ଟ ମାସରେ ଗୁପକର ଗଠବନ୍ଧନ ଗଠନ କରି ଧାରା ୩୭୦ ଏବଂ ୩୫(କ)କୁ ପୁନଃସ୍ଥାପିତ କରିବାର ଘୋଷଣା କରିଛନ୍ତି।

ସେ କହିଲେ ଜାମ୍ମୁ ଓ କାଶ୍ମୀରରେ ଡିଷ୍ଟ୍ରିକ୍ଟ ଡେଭେଲପମେଂଟ କାଉନସିଲ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କଂଗ୍ରେସ ଦଳ ଗୁପକାର ଗଠବନ୍ଧନ ସହ ମେଂଟ କରି ପ୍ରଥମ ଦୁଇଟି ନିର୍ବାଚନ ପାଇଁ ୩ଜଣ ପ୍ରାର୍ଥୀ ଦେଇଛି। କଂଗ୍ରେସ ଗୁପକାର ଗଠବନ୍ଧନର ଅଭିନ୍ନ ଅଙ୍ଗ ହୋଇ ରାଷ୍ଟ୍ରବିରୋଧୀ ତତ୍ୱମାନଙ୍କ ସହ ହାତ ମିଳାଇବା ସହ ତାଙ୍କ ହୀନ ଉଦ୍ଦେଶ୍ୟକୁ ସମର୍ଥନ ଜଣାଇଛି। ଦିଲ୍ଲୀରେ ନିଜକୁ ଜାତୀୟ ଦଳ ବୋଲି କହୁଥିଲେ ହେଁ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରବିରୋଧୀ ଦଳ ସାଜି ବିଛିନ୍ନତାବାଦୀଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରି କହିଛନ୍ତି।

ମତାମତ ଦିଅନ୍ତୁ ।