ଜଣେ ବରକୁ ବାହାହେଲେ ଦୁଇ କନ୍ୟା

ଭୋପାଳ : କରୋନା କଟକଣା ସମୟରେ କେତେକ ବିବାହ ଚର୍ଚ୍ଚାକୁ ଆସିଛି। କିଏ ନିୟମ ଭାଙ୍ଗି ତଣ୍ଡ ଗଣିଛି ତ ଆଉ କିଏ ପୋଲିସ ହାଜତକୁ ଯାଇଛି। କେତେକ ସମଦୂରତା ରକ୍ଷାକରି ଫୁଲ ମାଳରେ କରିଛନ୍ତି ବିବାହ। କିନ୍ତୁ ମଧ୍ୟପ୍ରଦେଶରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଜଣେ ବରକୁ ଗୋଟିଏ ବେଦୀରେ ବାହା ହୋଇଛନ୍ତି ଦୁଇଜଣ କନ୍ୟା।

ଖବର ଅନୁଯାୟୀ ମଧ୍ୟପ୍ରଦେଶର ଘୋଡାଡୋଗରି ବ୍ଲକର କେରିଆ ଗାଁରେ ଏହି ବାହାଘର ହୋଇଛି। ବୈତୁଲ ନିବାସୀ ସନ୍ଦୀପ ଉଇକେ ଜୁଲାଇ ୮ ତାରିଖରେ ଦୁଇ ଝିଅକୁ ବିବାହ କରିଛନ୍ତି। ଜଣେ ହୋଶଂଗାବାଦ ଜିଲ୍ଲାର ହୋଇଥିବା ବେଳେ ଆର ଜଣକ କୋୟଲାରୀ ଗାଁର। କଥାଟି ହେଲା ଭୋପାଳରେ ସନ୍ଦୀପ ପାଠ ପଢ଼ୁଥିବା ସମୟରେ ହୋଶାଂଗାବାଦର ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ସନ୍ଦୀପଙ୍କ ବିବାହ ପାଇଁ ତାଙ୍କ ବାପା-ମା ପୂର୍ବରୁ ତାଙ୍କ ପାଇଁ ଝିଅ ସ୍ଥିର କରିସାରିଥିଲେ। ଏହାକୁ ନେଇ ବିବାଦ ଉଠିଥିଲା। ସମାଧାନ ପାଇଁ ଗାଁରେ ବସିଥିଲା ପଞ୍ଚାୟତ। ଏଥିରେ ନିଷ୍ପତ୍ତି ହେଲା ଦୁଇ ଝିଅ ସନ୍ଦୀପଙ୍କୁ ବିବାହ କରିବେ। ଏହି ନିଷ୍ପତ୍ତିରେ ଉଭୟ ଝିଅ ସହମତ ହେବ ସହିତ ବିବାହ ନେଇ ସେମାନଙ୍କର କୌଣସି ଆପତ୍ତି ନଥିବା ପଞ୍ଚାୟତକୁ କହିଥିଲେ। ପଞ୍ଚାୟତର ନିଷ୍ପତ୍ତିକୁ ତିନି ପରିବାର ଗ୍ରହଣ କରିଥିଲେ। କେରିଆ ଗାଁରେ ଆୟୋଜିତ ହୋଇଥିଲା ବାହାଘର। ସମସ୍ତ ପରିବାର ଏଥିରେ ଯୋଗ ଦେଇଥିଲେ। ଆଉ ଗୋଟିଏ ବେଦୀରେ ଜଣେ ବରକୁ ବାହା ହୋଇଥିଲେ ଦୁଇ କନ୍ୟା।

ମତାମତ ଦିଅନ୍ତୁ ।