ଜାତୀୟ ଶିକ୍ଷାନୀତିର ସମୀକ୍ଷା ପାଇଁ ବିଜେଡି ଭର୍ଚୁଆଲ କର୍ମଶାଳା କରିବ

ଭୁବନେଶ୍ୱର : କେନ୍ଦ୍ର ସରକାର ଗତ ଜୁଲାଇ ୨୯ ତାରିଖରେ ଜାତୀୟ ଶିକ୍ଷା ନୀତି -୨୦୨୦ ଘୋଷଣା କରିଛନ୍ତି। ଓଡ଼ିଶାର ସ୍ଵାର୍ଥ ଦୃଷ୍ଟିରୁ ଏହି ଶିକ୍ଷା ନୀତି ସମ୍ପର୍କରେ ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନାର ଆବଶ୍ୟକତା ଅନୁଭବ କରି ବିଜୁ ଜନତା ଦଳର କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରିଛି। ଓଡ଼ିଶାର ଭୌଗଳିକ ସ୍ଥିତି, ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଅନୁପାତକୁ ଦୃଷ୍ଟିରେ ରଖି ସବୁ ବର୍ଗର ସତ୍ତ୍ଵାଧିକାରୀମାନଙ୍କ ସହିତ ପରାମର୍ଶ ଓ ଆଲୋଚନା କରାଯିବ। ଏଥିପାଇଁ ଆସନ୍ତା ୮ ଓ ୧୬ ତାରିଖ ଦୁଇଦିନ ୪ଟି କର୍ମଶାଳା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି କର୍ମଶାଳାରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ସଂଗଠନ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆମନ୍ତ୍ରଣ କରାଯାଇ ନୂତନ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରାଯିବ।

ଅଗଷ୍ଟ ୮ ତାରିଖ ଦିନ ଦୁଇଟି ଓ ଅଗଷ୍ଟ ୧୬ ତାରିଖ ଦିନ ଦୁଇଟି କର୍ମଶାଳା ଅନୁଷ୍ଠିତ ହେବ। ପ୍ରଥମ କର୍ମଶାଳା ପୂର୍ବାହ୍ନ ୧୧ ଘଟିକାରୁ ମଧ୍ୟାହ୍ନ ୧ ଘଟିକା ଏବଂ ଦ୍ୱିତୀୟ କର୍ମଶାଳା ଅପରାହ୍ନ ୩ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ କରିଯିବ। ବିଜୁ ଜନତା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ, ସାଧାରଣ ସମ୍ପାଦକ ରୋହିତ ପୂଜାରୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା, ସତ୍ୟବ୍ରତ ପାତ୍ର ଓ ସାରଦା ପ୍ରସାଦ ଜେନା ପ୍ରମୁଖ ଏହାର ସଂଯୋଜନା କରିବେ।ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଏହା ଜଣାଇଛନ୍ତି।

ମତାମତ ଦିଅନ୍ତୁ ।