ଯାତ୍ରୀଙ୍କ ସାମଗ୍ରୀ ଟ୍ରେନରେ ପହଞ୍ଚାଇବ ରେଳବାଇ : ଆରମ୍ଭ ହେବ ବ୍ୟଗ୍ସ ଅନ୍ ହ୍ୱିଲସ୍ ସେବା

ନୂଆଦିଲ୍ଲୀ : ଭାରତୀୟ ରେଳ ବ୍ୟଗ୍ସ ଅନ ହ୍ୱିଲସ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ଉତ୍ତର ଓ ଉତ୍ତର-ମଧ୍ୟ ରେଳବାଇ ମହପ୍ରବନ୍ଧକ ରାଜୀବ ଚୌଧୁରୀ।

ଭାରତୀୟ ରେଳରେ ଯାତ୍ରୀଙ୍କ ଲାଗି ହେବାକୁ ଥିବା ନୂଆ ସେବା ସମ୍ପର୍କରେ ଶ୍ରୀ ଚୌଧୁରୀ କହିଛନ୍ତି ରାଜସ୍ୱ ଆୟ ବୃଦ୍ଧି ପାଇଁ ରେଳବାଇ ଲଗାତାର ପ୍ରୟାଶ ଜାରି ରଖିଛି। ଏହି କ୍ରମରେ ବ୍ୟାଗ୍ସ ଅନ ହ୍ୱିଲସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ଏହି ସେବାର ସବୁଠୁ ବଡ ସୁବିଧା ହେଲା ଆପଣ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଆପଣଙ୍କ ସାମଗ୍ରୀ ପହଞ୍ଚିସାରିଥିବ। ଏଥିରେ ଯାତ୍ରୀ ଟ୍ରେନରେ ତାଙ୍କ ସିଟ୍‌ ପର୍ଯ୍ୟନ୍ତ ଏହାକୁ ନେବାର ଦୁଶ୍ଚିନ୍ତାରୁ ମୁକ୍ତ ପାଇବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସେବା ନୂଆଦିଲ୍ଲୀ, ଦିଲ୍ଲୀ ଜଙ୍କସନ୍, ହଜରତ ନିଜାମୁଦ୍ଦିନ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ, ଦିଲ୍ଲୀ ସରାୟା ରୋହିଲ୍ଲା, ଗାଜିଆବାଜ ଓ ଗୁରୁଗ୍ରାମ ଷ୍ଟେସନରୁ ଉଠୁଥିବା ଯାତ୍ରୀଙ୍କ ଲାଗି ଆରମ୍ଭ ହେବ।

ଏଥିପାଇଁ ରେଳବାଇ ଖୁବ୍ ଶୀଘ୍ର ବିଓଡବ୍ଲୁ ( ବ୍ୟାଗସ୍ ଅନ ହ୍ୱିଲସ୍) ଆପ ଆରମ୍ଭ କରିବେ। ଏହାଦ୍ୱାରା ଯାତ୍ରୀ ଘରୁ ଷ୍ଟେସନ ପର୍ଯ୍ୟନ୍ତ ଅଥବା ଷ୍ଟେସନରୁ ଘର ପର୍ଯ୍ୟନ୍ତ ଜିନିଷ ପହଞ୍ଚାଇବା ଲାଗି ଆବେଦନ କରିପାରିବେ। ରେଳବାଇ ବୁକିଂ ବିବରଣୀ ଅନୁସାରେ ଏଥିଲାଗି ମନୋନୀତ ଠିକାଦାର ଜିନିଷର ସୁରକ୍ଷିତ ସଂଗ୍ରହ ସମେତ ନିର୍ଦ୍ଧିଷ୍ଟ ଠିକଣାରେ ପହଞ୍ଚାଇବା ଦାୟିତ୍ୱରେ ରହିବେ। ଏହି ସେବା ଡୋର ଟୁ ଡୋର ଡେଲିଭରୀ ଫର୍ମରେ ନାମମାତ୍ର ଶୁଳ୍କରେ ପ୍ରଦାନ କରାଯିବ। ଏହି ସେବା ଦ୍ୱାରା ରେଳବାଇ ଭଡ଼ା ଅତିରିକ୍ତ ୫୦ ଲକ୍ଷ ଟଙ୍କାର ରାଜସ୍ୱ ଆୟ ସାଙ୍ଗକୁ ବର୍ଷକ ଲାଗି ୧୦ ପ୍ରତିଶତ ସେୟାର ମଧ୍ୟ ହାସଲ କରିପାରିବ। ଏପର୍ଯ୍ୟନ୍ତ ଯାତ୍ରୀମାନେ ପାଲେସ୍ ଅନ ହ୍ୱିଲସ ସେବାର ଲାଭ ପାଇଥିଲେ। ଏବେ ବ୍ୟାଗ୍ସ ଅନ ହ୍ୱିଲସ୍ ସେମାନଙ୍କୁ ବେଶ୍ ଉପକୃତ କରିବ ବୋଲି ରେଳବାଇ ଆଶା ରଖିଛି।

ମତାମତ ଦିଅନ୍ତୁ ।