ଜେଇଇ ଓ ନିଟ ଗାଇଡ୍‌ଲାଇନ୍: ହାତରେ ଗ୍ଲୋଭ୍ସ ଓ ୬ ଫୁଟ୍ ଦୂରତାରେ ବସିବେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ଜେଇଇ ଓ ନିଟ୍ ପରୀକ୍ଷା ଆୟୋଜନ ହେବାକୁ ଯାଉଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରିଛି। ଜେଇଇ ମେନ ପରୀକ୍ଷା ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ଆୟୋଜିତ ହେବ। ସେହିପରି ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ଏନଟିଏ ଜେଇଇ ମେନ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଥିବା ବେଳେ ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ଅଧିକାରୀ ଓ୍ଵେବ୍ସାଇଟ୍‌ରୁ ଡାଉନଲୋଡ୍ କରି ପାରିବେ।

ସୂତ୍ର ଅନୁଯାୟୀ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ। ଏଥିପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ଏସବୁ ନିୟମ ପାଳନ କରିବାକୁ ପଡିବ। ପରୀକ୍ଷାର୍ଥୀଙ୍କୁ ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧିବା ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ରକୁ ପାଣି ବୋଟଲ ଓ ହ୍ୟାଣ୍ଡ ସାନିଟାଇଜର ଧରି ଆସିବାକୁ କୁହାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଦ୍ଵାରରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ ରୁମର ବ୍ୟବସ୍ଥା ରହିବ। ଯେଉଁ ପରୀକ୍ଷାର୍ଥୀଙ୍କ ତାପମାତ୍ରା ୩୭.୪ ସେଲସିୟସ/ ୯୯.୪ ଡିଗ୍ରୀ ଫାରେନହାଇଟ୍ ଥିବ ସେମାନଙ୍କ ପାଇଁ ଏହି ଆଇସୋଲେସନ ରୁମର ବ୍ୟବସ୍ଥା କରାଯାଇଛି।

ସେହିପରି ପରୀକ୍ଷା କେନ୍ଦ୍ରରେ ଛାତ୍ର ଓ ଡ୍ୟୁଟିରେ ଥିବା କର୍ମଚାରୀ ସମସ୍ତଙ୍କୁ ସାମାଜିକ ନିୟମ ପାଳନ କରିବାକୁ ପଡିବ। ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ରହିବ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ସେଲ୍ଫ ଡିକ୍ଲାରେସନ ଦେବାକୁ ପଡିବ ଯେ, ସେ କରୋନା ପଜିଟିଭ୍ ନୁହନ୍ତି ଓ କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସାବୁନରେ ହାତ ଧୋଇବାକୁ ପଡିବ। ଆଡମିଟ୍ କାର୍ଡରେ ପରୀକ୍ଷା କେନ୍ଦ୍ରର ମ୍ୟାପ୍ ହାଇପର ଲିଙ୍କ ଦିଆଯିବ। ଯାହା ଫଳରେ ସେମାନଙ୍କୁ କେନ୍ଦ୍ରରେ ପହଞ୍ଚିବା ସହଜ ହେବ। ପରୀକ୍ଷା ସମାପ୍ତ ହେବା ପରେ ସମସ୍ତ ପ୍ରାର୍ଥୀଙ୍କୁ କେବଳ ବ୍ୟବସ୍ଥିତ ପ୍ରକ୍ରିୟାରେ ବାହାରକୁ ଯିବାକୁ ଅନୁମତି ମିଳିବ।

ମତାମତ ଦିଅନ୍ତୁ ।