ଯୋଜନାରେ ବରାଦ ଅର୍ଥକୁ ଧାର୍ଯ୍ୟ ସମୟରେ ଖର୍ଚ୍ଚ କରିବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର : ଉଦ୍ୟାନ କୃଷି ନିମନ୍ତେ ବିଭିନ୍ନ ଯୋଜନାରେ ବରାଦ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଏହାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ। ସେଥିପାଇଁ ଚଳିତ ବର୍ଷ ଚାଷୀମାନଙ୍କୁ ଉନ୍ନତ ମାନର କୃଷି ସାମଗ୍ରୀ ଯୋଗାଇ ଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶୁକ୍ରବାର ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନ୍ତର୍ଗତ ଜିଲ୍ଲାର ଜିଲ୍ଲାସ୍ତରୀୟ ଉଦ୍ୟାନ କୃଷି ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟରେ ଉଦ୍ୟାନ କୃଷିର ବିକାଶର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହାକୁ ପୂର୍ଣ୍ଣ ବିନିଯୋଗ କରି କୃଷକମାନଙ୍କ ଆୟ ବହୁଗୁଣିତ କରାଯାଇପାରିବ। ତେଣୁ ପ୍ରତି ବ୍ଲକ୍‌ର ସ୍ଥାନୀୟ ଉତ୍ପାଦକୁ ଦୃଷ୍ଟିରେ ରଖି ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ଉଚିତ।

ସେ କହିଲେ ଶୀତଳ ଭଣ୍ଡାର, କୃଷକ ଉତ୍ପାଦକ ସଂଗଠନ ଏବଂ ସ୍ଥାନୀୟ କୃଷକମାନଙ୍କ ସହିତ ଉପଯୁକ୍ତ ସମନ୍ୱୟ ରଖି ଆଳୁ, ଗାଜର, ବନ୍ଧାକୋବି ଆଦି ପନିପରିବାର ଉପଯୁକ୍ତ ସଂରକ୍ଷଣ ସହିତ ଶୀତଳ ଭଣ୍ଡାରର ପୂର୍ଣ୍ଣ କ୍ଷମତା ଉପଯୋଗ କରିବା ପାଇଁ ସେ କହିଥିଲେ। ରାଜ୍ୟରେ ଫଳ ଚାଷ ପାଇଁ କ୍ଲଷ୍ଟର ପଦ୍ଧତି ଆପଣାଇବା ନିମନ୍ତେ ମନ୍ତ୍ରୀ ଡ.ସାହୁ ଗୁରୁତ୍ୱ ଦେଇଥିଲେ। ଉପକୂଳ ଜିଲ୍ଲାଗୁଡ଼ିକରେ ନଡ଼ିଆ ଚାଷର ବ୍ୟାପକ ସୁଯୋଗ ରହିଥିବାରୁ ଅଧିକରୁ ଅଧିକ ଚାଷୀ ନଡ଼ିଆ ଚାଷ ନିମନ୍ତେ ମନୋନିବେଶ କରିବା ଓ ଅଧିକ ଉତ୍ପାଦନ ନିମନ୍ତେ ହାଇବି୍ରଡ୍‌ ପନିପରିବା ଚାଷ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ବୈଠକ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ।

Leave A Reply

Your email address will not be published.