ଯୁବ କଂଗ୍ରେସ ସଭାପତିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ନିହାର

ଭୁବନେଶ୍ୱର : ରାଜ୍ୟ କଂଗ୍ରେସକୁ ବିବାଦ ଛାଡୁନି। କିଛିଦିନ ଅନ୍ତରରେ କୌଣସି ଘଟଣାକୁ ନେଇ ବିବାଦ ଉଠୁଛି। ସେହିକ୍ରମରେ ଏଥର ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ନାଁ ବିବାଦରେ ଯୋଡି ହୋଇଛି। ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ଯୁବ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ନିହାର ବେହେରା। ଏଥିସହ ଅଡିଓ ରେକର୍ଡ ଓ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ହ୍ୱାଟ୍ସଆପ୍ ଚାଟ୍ ଭାଇରାଲକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ନିହାର ଅଭିଯୋଗ କରିଛନ୍ତି ପଦବୀ ଲୋଭ ଦେଖାଇ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି ସ୍ମୃତିରଞ୍ଜନ। କିଛି ହ୍ୱାଟ୍ସଆପ୍ ଚାଟ୍ ଓ ଅଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହାଛଡା ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ସ୍ମୃତିଙ୍କ ନିଯୁକ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି। ନିହାର କହିଛନ୍ତି ଯିଏ ଝିଅ ଓ ବୋହୂମାନଙ୍କୁ ପଦ ପଦବୀ ଦେବା ନାଁରେ ଶୋଷଣ କରେ, ତାହା କଂଗ୍ରେସର ଗଣତନ୍ତ୍ର ବିରୋଧୀ। ଯଦି ଏହି କାମଟି ବିରୋଧୀ ଦଳର କୌଣସି ଯୁବ ନେତୃତ୍ୱ କରିଥାନ୍ତେ ତାହେଲେ ଏହି ସଭାପତି ଜଣକ ମାଷ୍ଟରକ୍ୟାଣ୍ଟିନ୍ ଛକରେ ନିଆଁ ଲଗାଇ ଥାନ୍ତେ। ତାଙ୍କ ଫଟୋକୁ ଭାଇରାଲ କରି ଇସ୍ତଫା ଦାବି କରିଥାନ୍ତେ। ଆଗାମୀ ୨୫ ତାରିଖରେ ହେବାକୁ ଥିବା ଯୁବ କଂଗ୍ରେସର ସମାବେଶରେ ବିରୋଧ ପ୍ରଦର୍ଶନ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗକୁ ସ୍ମୃତି ରଞ୍ଜନ ଖଣ୍ଡନ କରିଥିବା ବେଳେ ଅସହିଷ୍ଣୁ ଭାବ ରଖି ଏପରି କରାଯାଇଥିବା ସେ କହିଛନ୍ତି। ଯେଉଁ ବ୍ୟକ୍ତି ଦଳ ବିରୋଧୀ କାମ କରି ୨୦୧୭ରୁ ଦଳରୁ ବହିଷ୍କୃତ ହୋଇଛନ୍ତି ସେବଳି ବ୍ୟକ୍ତିଙ୍କ ବିଷୟରେ କିଛି କହିବାକୁ ଚାହୁଁନଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button