କାଳି ମାଡ଼ ପରେ ଆପ୍ ବିଧାୟକ ଗିରଫ

ଆମେଥି : ବିବାଦୀୟ ବୟାନ ପାଇଁ ଫସିଲେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ)ର ବିଧାୟକ ସୋମନାଥ ଭାରତୀ। ଉତ୍ତର ପ୍ରଦେଶର ରାଏ ବରେଲୀରେ ତାଙ୍କୁ କାଳି ମାଡ଼ କରାଗଲା। ପରେ ପୋଲିସ ଗିରଫ କରିଛି। ଜାମିନ ମିଳିଲାନି। ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ୧୩ରେ ହେବ ଶୁଣାଣି।
ଗତ ସପ୍ତାହରେ ସୋମନାଥ ବିବାଦୀୟ ବୟାନ ଦେଇଥିଲେ। କହିଥିଲେ ଉତ୍ତର ପ୍ରଦେଶ ହସ୍ପିଟାଲରେ କୁକୁରଙ୍କ ପିଲାମାନେ ଜନ୍ମ ହେଉଛନ୍ତି। ସେଥିପାଇଁ ତାଙ୍କ ନାଁରେ ଆମେଥିର ଜଗଦୀଶପୁର ପୋଲିସ ଷ୍ଟେସନରେ ମାମଲା ହୋଇଥିଲା। ସୋମନାଥ ଭାରତୀ ରାଏବରେଲୀର ଏକ ଗେଷ୍ଟ ହାଉସରେ ଥିବା ବେଳେ ଦକ୍ଷିଣ ପନ୍ଥୀ ଗ୍ରୁପର କିଛି ନେତା ପହଞ୍ଚିଥିଲେ। ପ୍ରଥମେ ବିଧାୟକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଜଣେ ଯୁବକ ତାଙ୍କ ମୁହଁକୁ କାଳି ମାଡ଼ କରିଥିଲେ।
ଏହି ଘଟଣା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସେହି ସମୟରେ ପୋଲିସ ସହିତ ସେ ଯୁକ୍ତିତର୍କ କରି ପୋଷାକ ଚିରି ଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସହ ଯୁକ୍ତିତର୍କ ବେଳେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅଶବ୍ଦ ପ୍ରୟୋଗ କରିଥିବା ଜଣାପଡ଼ିଛି।