କନ୍ଧମାଳର ଦୁଇଟି ଗାଁରେ ମୌଳିକ ସୁବିଧା ଅପହଞ୍ଚ

0

କନ୍ଧମାଳ : ଖଜୁରୀପଡ଼ା ବ୍ଲକ୍‌ ସଦରମହକୁମରୁ ମାତ୍ର ୭ କିଲୋମିଟର ଦୂରରେ ଥିବା କୁନ୍ଦା ଓ ମାର୍ଦ୍ଦିଗୁଚ୍ଛା ଗ୍ରାମରେ ମୌଳିକ ସୁବିଧା ଏବେବି ଅପହଞ୍ଚ। ରାସ୍ତାଘାଟ, ପାନୀୟଜଳ ଓ ବିଜୁଳି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇପରିନି। ଏଥିପ୍ରତି ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧି ଦ୍ରୁଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି।

କୁନ୍ଦା ଗ୍ରାମର ପ୍ରେମାନନ୍ଦ ମାଝୀ, ପ୍ରଭାତ ମାଝୀ, ପିତାମ୍ବର ମାଝି, ଦୁଃଶାସନ ମାଝୀ, ଓ ମାର୍ଦ୍ଦିଗୁଛା ଗ୍ରାମର ସନାତନ ମଳିକ, ବିଶ୍ଵମ୍ବର ମଳିକ, ଦଶରଥ ମାଝୀ ପ୍ରମୁଖଙ୍କ କହିଛନ୍ତି ଗ୍ରାମକୁ ଭଲ ରାସ୍ତା ନଥିବାରୁ ସରକାରୀ କର୍ମଚାରୀ ଓ ସ୍ଵାସ୍ଥ୍ୟକର୍ମୀ ଆସିବାକୁ ଅମଙ୍ଗ ହେଉଛନ୍ତି। ପକ୍କା ରାସ୍ତା ନିର୍ମାଣ ପାଇଁ ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ନିକଟରେ ଦାବି ହୋଇଛି। କିନ୍ତୁ କେହି ଶୁଣୁନାହାନ୍ତି। ପାଖ ଗାଁ କୁନ୍ଦା, ଦାରେଜୁ, ବାଟଲି ଓ ମୁଣ୍ଡାବଡି ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀଙ୍କର ଏକା ସମସ୍ୟା।

ସେହିପରି ମାର୍ଦ୍ଦିଗୁଛା ଗ୍ରାମରେ ୨ଶହରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତିl ପାଞ୍ଚଟି ସାହିରେ ବସବାସ କରୁଥିବା ଏହି ଲୋକମାନଙ୍କ ଗୋଟିଏ ନଳକୂପ। ଏହାଛଡା ଗୋଟିଏ କୂଅ ମଧ୍ୟ ରହିଛି। ହେଲେ ଖରାଦିନେ କୂଅ ଶୁଖିଲା। ନଳକୂପରୁ ପାଣି ବାହାରୁନି। ଫଳରେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗ୍ରାମକୁ ସୋଲାର ଲାଇଟ୍‌ ଯୋଗାଣ ହୋଇଥିଲେ ମଧ୍ୟ ତାହା ଅଚଳ। ନିତିଦିନିଆ ରାସ୍ତା ନଥିବାରୁ ବିପଦ ପରିସ୍ଥିତିରେ ଆମ୍ବୁଲାନ୍ସ ଆସିପାରୁନି। କେବଳ ଏହି ଗ୍ରାମ ନୁହେଁ କନ୍ଧମାଳ ଜିଲ୍ଲାର ଏପରି ଅନେକ ଗ୍ରାମ ରହିଛି। ଯେଉଁଠି ପ୍ରଶାସନ କିମ୍ବା ରାଜନେତାଙ୍କ ନଜର ନପଡିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛିl

Leave A Reply

Your email address will not be published.