କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂ ତ୍ଵରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ଗାଇଡଲାଇନକୁ କଡାକଡି ଭାବେ ଲାଗୁ କରିବା ସହିତ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂ ପ୍ରକ୍ରିୟା ତ୍ଵରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକର ନିଷ୍ପତ୍ତି ଅନୁସାରେ ବିଭିନ୍ନ ଜିଲ୍ଲାରେ କରୋନା କଟକଣା କଡାକଡି ହେବ। ବଜାର, ଧର୍ମାନୁଷ୍ଠାନ ଓ ବିବାହ ଉତ୍ସବ ଉପରେ ସରକାରଙ୍କର ଦୃଷ୍ଟି ରହିବ। କିନ୍ତୁ ନାଇଟ କର୍ଫ୍ୟୁକୁ ନେଇ ବୈଠକରେ କୌଣସି ନିଷ୍ପତ୍ତି ହୋଇ ନଥିବା ସୂଚନା ମିଳିଛି। ଏହାଛଡା ସମସ୍ତ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ବଢିଲେ ଆବଶ୍ୟକସ୍ଥଳେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମିନି କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସେହିପରି ସର୍ବାଧିକ ପ୍ରଭାବିତ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ। ହୋଲି ପାଇଁ ଏସଆରସିଙ୍କ ଗାଇଡଲାଇନ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ରଖିବ। ଅଫିସିଆଲ ମିଟିଂ ଭର୍ଚୁଆଲ ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଆରଟିପିସିଆର ପରୀକ୍ଷା ସଂଖ୍ୟାକୁ ବଢାଇବା ଦିଗରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜିଲ୍ଲାସ୍ତରରେ ଆବଶ୍ୟକ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏହାଛଡା ବାହାଘରରେ ୫ ଶହ ବଦଳରେ ୨ ଶହ ଲୋକ ସାମିଲ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି।

ସୂଚନା ଓ ଲୋକ ସଂପର୍କ ବିଭାଗର ଟ୍ୱିଟ୍ ଅନୁଯାୟୀ ଆଜି ୧୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍‌ ଓ ୪୬ଟି ଲୋକାଲ୍ କେସ୍‌। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭ ଓ ଖୋର୍ଦ୍ଧାରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.