କଣ୍ଟେନମେଣ୍ଟ୍ ଜୋନରେ ନଭେମ୍ବର ୩୦ ଯାଏଁ ଜାରି ରହିବ ଲକ୍‌ଡାଉନ୍

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନଭେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛି। କରୋନା ସଂକ୍ରମଣ ଯୋଗୁ ଚିହ୍ନଟ କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଲକଡାଉନ ପୂର୍ବଭଳି ଆସନ୍ତା ନଭେମ୍ବର ୩୦ ଯାଏ ଜାରି ରହିବ। ସେହିପରି ସେପ୍ଟେମ୍ବର ମାସରେ ଅନଲକ-୫ ପାଇଁ ଜାରି ହୋଇଥିବା ଗାଇଡଲାଇନ ନଭେମ୍ବର ୩୦ ଯାଏ ବଳବତ୍ତର ରହିବ। ସିନେମା ହଲ ଓ ସୁଇମିଂ ପୁଲର ବ୍ୟବହାର ପାଇଁ ରହିବ କଟକଣା।

ସେପ୍ଟେମ୍ବର ମାସରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଅକ୍ଟୋବର ୧୫ରୁ ସିନେମା ହଲ ଖୋଲିପାରିବ ବୋଲି ଅନୁମତି ଦେଇଥିଲା। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସିନେମା ହଲ, ଥ୍ରୀଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକ ଏହି ତାରିଖ ଠାରୁ ଖୋଲିବ ବୋଲି କୁହାଯାଇଥିଲା। ଏହାଛଡା ଅକ୍ଟୋବର ୧୫ ପରେ ଦେଶରେ ସ୍କୁଲ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ସରକାର ସର୍ତ୍ତ ମୂଳକ ଅନୁମତି ଦେଇଥିଲେ ହେଁ ଅଧିକାଂଶ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇ ନାହାନ୍ତି।

ଅନଲକ-୪ରେ କେନ୍ଦ୍ର ସରକାର ମେଟ୍ରୋ ସେବା ଓ ୯ରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ କଟକଣା କୋହଳ କରିଥିଲେ। ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜ ଇଚ୍ଛାରେ ସ୍କୁଲ ଯାଇ ପାଠ ବୁଝି ପାରିବେ ବୋଲି କୁହାଯାଇଥିଲା। ଅନଲକ-୫ରେ ସାଧାରଣ ସମାବେଶରେ ଯୋଗଦେବାକୁ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିଲା। ଏହା ନଭେମ୍ବର ମାସରେ ମଧ୍ୟ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନ ବାହାରେ ହେବାକୁ ଥିବା ସାମାଜିକ, ରାଜନୀତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ୧୦୦ ଜଣ ଲୋକ ଯୋଗଦେଇପାରିବେ।

ତେବେ ଯେଉଁସବୁ ବନ୍ଦ କୋଠରୀରେ ଉପରୋକ୍ତ ସାମାବେଶ ହେଉଥିବ ସେଠାରେ କେବଳ ୫୦ ପ୍ରତିଶତ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏଠାରେ ମାସ୍କ, ସାମାଜିକ ଦୂରତା ଓ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି। ଖୋଲା ସ୍ଥାନରେ ଆୟୋଜିତ ହେବାକୁ ଥିବା ସମାବେଶରେ ପଡ଼ିଆର ଆକାରକୁ ଦେଖି ରାଜ୍ୟ ସରକାରମାନେ ସମାବେଶ ପାଇଁ ଅନୁମତି ଦେବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ମତାମତ ଦିଅନ୍ତୁ ।