କାରରୁ ଇଭିଏମ୍ ମିଳିବା ଘଟଣାରେ ୪ ଅଫିସର୍ ସସପେଣ୍ଡ

ନୂଆଦିଲ୍ଲୀ : ଆସାମରେ ଏକ ଅଜଣା କାରରୁ ଇଭିଏମ୍ ମିଳିବା ପରେ ନିର୍ବାଚନ କମିଶନର ୪ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି। କମିଶନ କହିଛନ୍ତି ଗାଡି ଖରାପ ହେବାରୁ ଅଧିକାରୀମାନେ ଗୋଟିଏ କାରରେ ଲିଫ୍ଟ ନେଇଥିଲେ। କାରର ମାଲିକ ଜଣେ ବିଜେପି ପ୍ରାର୍ଥୀ ବୋଲି ପରେ ଜଣାପଡ଼ିଲା। ସେ କହିଛନ୍ତି ଇଭିଏମ୍ ସହ ବିୟୁ, ସିୟୁ ଓ ଭିଭିପିଏଟି ସାମିଲ୍ ଥିଲା। ତେବେ ଜବତ ଇଭିଏମ୍ ମେଶିନର ସିଲ୍ ଖୋଲା ହୋଇନଥିବା ବେଳେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ସମସ୍ତ ଆଇଟମକୁ ଷ୍ଟ୍ରଙ୍ଗ୍ ରୁମରେ ଜମା କରାଯାଇଛି।
ନିର୍ବାଚନ କମିଶନର କହିଛନ୍ତି କରୀମଗଞ୍ଜ ଅଞ୍ଚଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏକମାତ୍ର ରାସ୍ତା। ୬ଟା ବେଳେ ମତଦାନ ସରିବା ପରେ ସବୁ ଗାଡ଼ି ପୋଲିଂ ଷ୍ଟେସନରୁ କରୀମଗଞ୍ଜ ଫେରୁଥିଲା। ରାତି ୯ଟା ବେଳେ ପୋଲିଂ ପାର୍ଟିକୁ ନେଇ ଫେରୁଥିବା ଏକ ଗାଡ଼ି ଖରାପ ହୋଇଯାଇଥିଲା। ଟ୍ରାଫିକ୍ କାରଣରୁ ଗାଡ଼ି ତା’ର କନଭୟରୁ ଅଲଗା ହୋଇଯାଇଥିଲା। ସେକ୍ଟର ଅଧିକାରୀଙ୍କୁ ପୋଲିଂ ପାର୍ଟି ଘଟଣା ସମ୍ବନ୍ଧରେ ସୂଚନା ଦେଇ ଅନ୍ୟ ଗାଡ଼ିକୁ ଲିଫ୍ଟ ମାଗିଥିଲେ। ଗାଡ଼ିର ଯାଞ୍ଚ କରିବା ପରେ ସେମାନେ ଆଗକୁ ବଢ଼ିଥିଲେ। କିନ୍ତୁ ଜାଣିନଥିଲେ ଯେଉଁ ଗାଡ଼ିରେ ଯାଉଛନ୍ତି ତାହା ବିଜେପି ପ୍ରାର୍ଥୀଙ୍କର। କିଛି ବାଟ ଗଲା ପରେ ଗାଡ଼ିକୁ କିଛି ଲୋକେ ଘେରିଯାଇ ପଥର ମାଡ଼ କରିଥିଲେ। ପରେ ଗାଡ଼ିଟି ବିଜେପି ପ୍ରାର୍ଥି କ୍ରିଷ୍ଣେନ୍ଦୁ ପଲଙ୍କର ଥିଲା ବୋଲି ଜଣାପଡ଼ିଲା।
ରାତି ୯.୪୫ ମିନିଟରେ ଗାଡ଼ିଟିକୁ ବନ୍ଧକ ରଖାଯାଇଥିଲା। ପଥରମାଡ଼ ଦେଖି ଗାଡ଼ି ଭିତରୁ ସମସ୍ତେ ବାହାରକୁ ବାହାରି ଯିବାରୁ ହିଂସାକାରୀ ଗାଡ଼ିର କାଚକୁ ଭାଙ୍ଗି ଦେଇଥିଲେ। ଏସପିଙ୍କ ବ୍ଲାଙ୍କ ଫାୟାରିଂ ଯୋଗୁ ଭିଡ଼ କମିବାରୁ ଇଭିଏମକୁ ଜବତ କରାଯାଇଥିଲା। ଇଭିଏମ୍ ସୁରକ୍ଷିତ ଥିବା ନିର୍ବାଚନ ଅଧିକାରୀ କହିଛନ୍ତି।