କରୋନା : ଚିନ୍ତିତ ନହେବାକୁ ରାଜ୍ୟବାସୀଙ୍କୁ କହିଲେ ସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ। ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରି ରୋଗୀଙ୍କୁ ଚିହ୍ନଟ କରୁଛନ୍ତି। ସେଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଆଜି ଦେଶରେ ୨୪ ଘଣ୍ଟ‌ା ମଧ୍ୟରେ ୪୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୨୬୪ ଜଣ ସଂକ୍ରମିତ। ତେବେ ଏହି ସଂଖ୍ୟା ବୃଦ୍ଧି ନେଇ ରାଜ୍ୟବାସୀ ଚିନ୍ତା କରନ୍ତୁ ନାହିଁ। ଯେହେତୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟକର୍ମୀମାନେ ସର୍ଭେ କରି ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରୁଛନ୍ତି ସେଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ସମସ୍ତ ଲକ୍ଷଣ ଥିବା ରୋଗୀଙ୍କୁ ଯଦି ଚିହ୍ନଟ କରିବାରେ ଆମେ ସକ୍ଷମ ହୋଇ ପାରିବା ତେବେ ଖୁବ୍‌ ଶୀଘ୍ର ରୋଗ ଉପରେ ନିୟନ୍ତ୍ରଣ କରିପାରିବା ବୋଲି ସେ କହିଛନ୍ତି।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ପ୍ରତିଟି ରାଜ୍ୟବାସୀଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ। ତେଣୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସେ ଦିଗରେ କାର୍ଯ୍ୟ କରୁଛନ୍ତି। ଆଜି ରାଜ୍ୟରେ ୩,୦୦୦ରୁ ଆଣ୍ଟିଜେନ୍‌ ଟେଷ୍ଟ ହେବା ସହ ୧୧,୦୦୦ରୁ ଅଧିକ ସ୍ୱାବ ଟେଷ୍ଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବା ସ୍ୱଭାବିକ। ବର୍ତ୍ତମାନ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଅବସ୍ଥା ଭଲ ଅଛି। ଆମ ରାଜ୍ୟରେ ମୃତ୍ୟୁ ହାର ବହୁତ କମ୍‌ ରହିଛି। ଏହାଛଡା ସୁସ୍ଥତା ହାର ୬୫ପ୍ରତିଶତ ରହିଥିବାରୁ ରାଜ୍ୟବାସୀ ଚିନ୍ତା କରିବାର କୌଣସି କାରଣ ନାହିଁ। କୋଭିଡ ଲକ୍ଷଣ ଥିବା ସମସ୍ତ ବ୍ୟକ୍ତି ନିଜ ଆଡୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଯୋଗାଯୋଗ କରି ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଥିବା ବେଳେ ଲକ୍ଷଣ ଥିଲେ ନଲୁଚାଇବାକୁ ତାଗିଦ କରିଛନ୍ତି।

ମତାମତ ଦିଅନ୍ତୁ ।