କରୋନା ଏକ ଅହେତୁକ ଭୟ !

॥ ଦୀନବନ୍ଧୁ ନାୟକ ॥

ତା’ହେଲେ କ୍ଷୁଦ୍ର ସତ୍ତା ଗୁଡିକର ଯଦି ଏକ ଦଳ ରହିଛି। ତେବେ ସେମାନେ ନିଜ ନିଜ ଭିତରେ ବିରୋଧାଚରଣ କରିପାରନ୍ତି। କାରଣ ସେମାନଙ୍କ ପାରସ୍ପରିକ ଜୀବନ ଖୁବ୍‌ ଶାନ୍ତିପୂର୍ଣ୍ଣ ନୁହେଁ। ସେମାନେ ପରସ୍ପର ସହିତ ଦ୍ୱନ୍ଦ୍ୱ କରନ୍ତି, ଯୁଦ୍ଧ କରନ୍ତି, ପରସ୍ପରକୁ ନଷ୍ଟ କରନ୍ତି, ଧ୍ୱଂସକରିଦିଅନ୍ତି। ଏହିଠାରୁ ହିଁ ସୂକ୍ଷ୍ମାଣୁର ଉତ୍ପତି। ସେମାନେ ବିଭଞ୍ଜନର ଶକ୍ତିରାଜି। କିନ୍ତୁ ସେମାନଙ୍କର ବିଭାଜିତ ଆକାର ଭିତରେ ମଧ୍ୟ ସେମାନେ ବଂଚିରହିବାରେ ଲାଗିଥା’ନ୍ତି, ଏବଂ ଏହାରି ଭିତରୁ ହିଁ ଜୀବାଣୁ ଓ ସୂକ୍ଷ୍ମାଣୁରାଜିର ଉତ୍ପତି। ତେଣୁ ଅଧିକାଂଶ ସୂକ୍ଷ୍ମାଣୁଙ୍କ ପଛରେ ଏକ ଅସଦ୍ଦିଚ୍ଛା ରହିଥାଏଏବଂଏହାହିଁ ସେମାନଙ୍କୁ ଏପରି ବିପଜ୍ଜନକ କରିଥାଏ। ଯଦି ଜଣେ ଅସଦ୍ଦିଚ୍ଛାର ଗୁଣ ଓ ପ୍ରକାରକୁ ଜାଣି ନଥାଏ ଏବଂ ଏହାଉପରେ କାର୍ଯ୍ୟ କରିବା ଲାଗି ସକ୍ଷମ ହୋଇ ନଥାଏ, ତେବେଏହାର ପ୍ରକୃତ ଓ ସଂପୂର୍ଣ୍ଣ ପ୍ରତିକାରକୁ ଖୋଜି ନ ପାଇବାର ସମ୍ଭାବନା ଶତକଡା ଅନେଶତ ଭାଗ ଥାଏ ।

ସୂକ୍ଷ୍ମାଣୁ ହେଉଛି ସୂକ୍ଷ୍ମ ଭୌତିକ ଜଗତରେ ବାସ କରୁଥିବା କୌଣସି ଏକ ଅସ୍ତିତ୍ୱର ଅତ୍ୟନ୍ତ ସ୍ଥୂଳ ଏକ ଅଭିବ୍ୟକ୍ତି। ସେଥିପାଇଁ ଏହି ସୂକ୍ଷ୍ମାଣୁମାନେ … ଯେଉଁମାନେ ସର୍ବଦା ତୁମକୁ ଘେରି ରହିଛନ୍ତି। ତୁମ ଭିତରେ ହିଁ ଅଛନ୍ତି। ବର୍ଷବର୍ଷ ଧରି ତୁମକୁ ଆଘାତ କରନ୍ତି ନାହିଁ। ହଠାତ୍ ଦିନେ ଅତର୍କିତ ଭାବେ ସେମାନେ ତୁମକୁ ଅସୁସ୍ଥ କରିଦିଅନ୍ତି। ତହିଁରେ ଅନ୍ୟ ଏକ କାରଣ ଅଛି । ଏହା ହେଉଛି ଏକ ଅସଙ୍ଗତି ରହିଛି। ବିରୋଧୀଶକ୍ତି ପ୍ରତି ସତ୍ତାରେ ଏକ ଗ୍ରହଣଶୀଳତା ରହିଛି। ଏହାହିଁ ହେଉଛି ସୂକ୍ଷ୍ମାଣୁ ଗୁଡିକର ଉତ୍ପତିସ୍ଥଳ ଓ ସେ ଗୁଡିକର ସହାୟକ। ମୁଁ ତୁମକୁ କାହାଣୀଟିଏ କହିବି …କାରଣ ଏହା ତୁମକୁ ଗୋଟିଏ ଉଦାହରଣ ଦେବ।”—ଶ୍ରୀମା’ (ନବଜ୍ୟୋତି କାର୍ଯ୍ୟାଳୟ, ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ-୨ରୁ ପ୍ରକାଶିତ ‘ନବଜ୍ୟୋତି’ ପତ୍ରିକାର “ସୂକ୍ଷ୍ମାଣୁ: ସେମାନଙ୍କର ଉତ୍ପତି”-୧୫ ଅଗଷ୍ଟ, ୨୦୨୦ ସଂଖ୍ୟା – ପୃଷ୍ଠା-୧୪)

ଏହାପରେ ଶ୍ରୀମା ଯେଉଁ କାହାଣୀଟି କହିଛନ୍ତି ତାହା ଏକ ବାସ୍ତବ ଘଟଣା। ଯାହା ସେ ନିଜେ ଅଙ୍ଗେ ନିଭାଇଛନ୍ତି। ଏହା ୧୯୧୯ ମସିହାର ଘଟଣା। ଯେତେବେଳେ ଶ୍ରୀମା’ ଜାପାନରେ ବାସ କରୁଥିଲେ । ତାଙ୍କ ରହଣୀ କାଳରେ ଜାପାନରେ ଇନ୍‌ଫ୍ଲୁଏଞ୍ଜା ମହାମାରୀ ଭୀଷଣ ରୂପେ ବ୍ୟାପିଥିଲା। ହଜାର ହଜାର ବ୍ୟକ୍ତି ପ୍ରାଣ ହରାଇଥିଲେ। ଶ୍ରୀମା’ ନିଜେ ରୋଗାକ୍ରାନ୍ତ ହୋଇଥିଲେ। ସେ ଏହି ମହାମାରୀର ଉତ୍ପତି, କାରଣକୁ ଖୋଜିଖୋଜି ଯାହା ପାଇଛନ୍ତି ଏବଂ ନିଜକୁ କିପରି ନିଜର ଗୁହ୍ୟ ଆଧ୍ୟାତ୍ମିକ ଶକ୍ତି ଦ୍ୱାରା ରୋଗମୁକ୍ତ କରିଛନ୍ତି, ତାହା ବର୍ଣ୍ଣନା କରିଛନ୍ତି । ଏହି ବର୍ଣ୍ଣନାଟି ଖୁବ୍‌ କୌତୁହଳ ଓ ଭାବୋଦ୍ଦିପକ ଅଟେ। ସୁଯୋଗ ପାଇଲେ ପଢିବା ଉଚିତ୍।

ଶ୍ରୀମା ଯେପରି ଜୀବାଣୁ ଓ ସୂକ୍ଷ୍ମାଣୁ ଗୁଡିକୁ ଓ ସେଗୁଡିକର ଉତ୍ପତି ଓ କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରିଛନ୍ତି। ସେହି ପ୍ରଚ୍ଛଦପଟ୍ଟରେ ବର୍ତ୍ତମାନ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ ଚିନ୍ତିତ ବିବ୍ରତ କରିପକାଇଥିବା କୋଭିଡ୍‌-୧୯ ବା କରୋନା ପାଣ୍ଡେମିକ୍‌କୁ ଦୃଷ୍ଟିପାତକଲେ, ଅନେକଭ୍ରମ, ଅହେତୁକ ଭୟ ଦୂରହେବା ସଂଗେସଂଗେ ଏହାର ଦ୍ରୁତ ବ୍ୟାପକ ବିସ୍ତାରକୁ ରୋକିବାରେ ସହାୟକ ଉପାୟ ମଧ୍ୟ ମିଳିଯାଇପାରେ।

ଏହା ଏକ କାକତାଳିକ ନ୍ୟାୟରେ ହେଉ ବା କୌଣସି ଅଦୃଶ୍ୟ କାରଣରୁ ହେଉ,-୧୯୧୯ରେ ଇନ୍‌ଫ୍ଲୁଏଞ୍ଜା ମହାମାରୀ ଓ ୨୦୨୦ରେ କରୋନା ପାଣ୍ଡେମିକ୍‌ର ଆବିର୍ଭାବ। ତେଣୁ ସ୍ୱତଃମନକୁ ପ୍ରଶ୍ନ ଆସେ ୨୦୨୧ରେ କ’ଣ !!! ସେ ଯାହାହେଉ ଆମେ ଅଙ୍ଗେ ନିଭାଇଥିବା ମହାମାରୀକୁ ତର୍ଜମା କଲେ ଜାଣିପାରିବା ଯେ ଗତ ଶତାବ୍ଦୀଟି ବସନ୍ତ ମହାମାରୀରେ ଛାଇହୋଇ ରହିଥିଲା। ଜନସ୍ୱାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ (ସେବା ନିବୃତ) ଭାବେ ବସନ୍ତ, ହଇଜାକୁ ମୁଁ ସାମ୍ନାସାମ୍ନି ଦେଖିଛି, ଲଢିଛି, ଆଉ ଗର୍ବ ଅନୁଭବ କରୁଛି ଯେ ଯେତେ କ୍ଷୁଦ୍ର ପରିମାଣରେ ହେଉ ପଛକେ ବସନ୍ତ ପରି ଦୁର୍ଦ୍ଦାନ୍ତ ମହାମାରୀକୁ ପୃଥିବୀରୁ ଲୋପ କରିଦେବାରେ ମୁଁ ଜଣେ ସୈନିକ ହୋଇ ମୋର କର୍ତ୍ତବ୍ୟ କରିଛି । ଅବଶ୍ୟ ହଇଜା ଜଳ ଓ ମାଛି ଦ୍ୱାରା ବ୍ୟାପୁ ଥିବାରୁ ତତ୍‌କାଳୀନ ସ୍ୱାସ୍ଥ୍ୟସେବାରେ କ୍ରମଶଃ ଉନ୍ନତି ଘଟିବା ସଂଗେସଂଗେ ତାହାଏବେ ନାହିଁ କହିଲେ ଚଳେ। କିନ୍ତୁ ବସନ୍ତ ବାୟୁ ଦ୍ୱାରା ବ୍ୟାପୁଥିଲା, ତା’ର ପ୍ରତିଷେଧକ ଟୀକା ଡେରିରେ ବାହାରିଥିଲା। ହେଲେ ବି ବସନ୍ତର ଇରାଡିକେଶନ୍‌ ବା ମୂଳୋତ୍ପାଟନ କରାଯାଇ ପାରିଛି।

ଏ ଦୁଇଟି ମହାମାରୀ ତୁଳନାରେ ବର୍ତ୍ତମାନର ପାଣ୍ଡେମିକ୍‌ କରୋନା ଏତେ ଭୟଙ୍କର ଓ ଦୁଃସାଧ୍ୟ ବୋଲି ମୋର ମନେ ହୁଏନା । କାରଣ, ଆମର ବୈଜ୍ଞାନିକ ଓ ଭୂତାଣୁ ରୋଗ ବିଶେଷଜ୍ଞମାନେ ସ୍ପଷ୍ଟରୂପେ ଜାଣି ପାରିଛନ୍ତି ଯେ କୋଭିଡ-୧୯ ବା କରୋନା ‘ଡ୍ରପ୍‌ଲେଟ୍‌ ଇନ୍‌ଫେକସନ୍‌’ ଦ୍ୱାରାବ୍ୟାପେ; ଅର୍ଥାତ୍‌ କରୋନା ରୋଗୀର କାଶ, ଛିଙ୍କ, କଥା କହିବା ବେଳେ ବାହାରୁଥିବା ଛେପବିନ୍ଦୁ ବା ଲାଳଦ୍ୱାରା ଭୂତାଣୁ ଗୁଡିକ ବାହାରକୁ ଆସନ୍ତି। ଅତି ବେଶୀରେ ୩/୪ ଫୁଟ୍ ପର୍ଯ୍ୟନ୍ତ ପ୍ରସାରିତ ହୋଇପାରନ୍ତି। ସେଗୁଡିକ ଅତିବେଶୀରେ ସାତଘଂଟା ବାହାରେ ରହି ପାରନ୍ତି। ଏହି ସମୟ ମଧ୍ୟରେ ଯଦି ହାତଦ୍ୱାରା ବା କୌଣସି ମାଧ୍ୟମରେ ତାହା ସୁସ୍ଥ ବ୍ୟକ୍ତିର ପାଟି, ନାକ ମାଧ୍ୟମରେଏପରିକି ଆଖିରତରଳ ପଦାର୍ଥ ସହିତ ମିଶି ସୁସ୍ଥ ଲୋକର ଶରୀର ଭିତରକୁ ପ୍ରବେଶ କରନ୍ତି ତେବେ ସେମାନେ ରୋଗ ଉତ୍ପନ୍ନ କରିପାରନ୍ତି।

ତେଣୁ ଯଦି ଆମଶରୀର-ଦୂର୍ଗର ମୁଖ୍ୟ ଦ୍ୱାର ସହିତ ସମ୍ଭାବ୍ୟ ଦ୍ୱାର ଗୁଡିକୁ ବନ୍ଦ କରିଦେଇ ପାରନ୍ତି, ତା’ହେଲେ କରୋନା ଭୂତାଣୁର ପ୍ରବେଶ ସମ୍ଭବ ହେବନାହିଁ। ଏହା ଏକ ନୂଆରୋଗ ହୋଇଥିବାରୁ ଏହାର ଆରୋଗ୍ୟ, ପ୍ରତିକାର ପାଇଁ ସଫଳ ଔଷଧ ବା ପ୍ରତିଷେଧକ ପାଇଁ ସଫଳ ଟୀକା ଏ ପର୍ଯ୍ୟନ୍ତ ବାହାରି ନାହିଁ। ବୈଜ୍ଞାନିକ ତଥା ବିଶେଷଜ୍ଞମାନଙ୍କ ନିର୍ଭର ପ୍ରତିଶୃତି ଓ ଆପାତ ମଧୁର ଘୋଷଣା ଶୁଣିଲେ ମଧ୍ୟ ନିକଟ ଭବିଷ୍ୟତରେଏହାର ଟୀକା ପ୍ରସ୍ତୁତି ନେଇ ବ୍ୟକ୍ତିଗତଭାବେ ମୁଁ ନିଶ୍ଚିନ୍ତ ହୋଇ ପାରୁନାହିଁ। ତଥାପି ଆଧୁନିକ ବିଜ୍ଞାନର ଦ୍ରୁତ ଅଗ୍ରଗତି ଯୋଗୁଁ ଚିକିତ୍ସା କ୍ଷେତ୍ରରେ ଯେଉଁ ଅଭୂତପୂର୍ବ ସଫଳତା ପ୍ରାପ୍ତ ହୋଇଛି, ତାହାହିଁ ନିରାଶାର ଅନ୍ତଚିରି ଆଶାର ଏକ କିରଣ ରେଖା ଦେଖାଉଛି। ଭଗବାନ କରନ୍ତୁ, ଖୁବ୍‌ଶୀଘ୍ର କରୋନା ପ୍ରତିଷେଧକ ଟୀକା ଉପଲବ୍ଧ ହେଉ, ବିଶ୍ୱକୁ ଏକ ଆତଙ୍କିତ ଅବସ୍ଥାରୁ ଉଦ୍ଧାର କରୁ।

ତଥାପି ଦୃଢ ବିଶ୍ୱାସର ସହିତ ଅନୁଭ ବକରୁଛି ଯେ ଯଦି ଆମେ ଅତିକମ୍‌ରେ ତିନୋଟି ଉପାୟ ଅବଲମ୍ବନ କରନ୍ତି, ତେବେ କରୋନା ବ୍ୟାପିବା ନିଶ୍ଚିତ ଭାବେ ସମାପ୍ତ ହୋଇଯିବ। (୧) ନିୟମିତମାସ୍କ ପିନ୍ଧିବା :- ଏହାଦ୍ୱାରା ବାହାର ଜୀବାଣୁ, ଭୂତାଣୁ ଆମଶରୀର ଭିତରକୁ ପଶି ପାରିବେ ନାହିଁ ବା ଆମଠାରୁ ବାହାରକୁ ଯାଇ ପାରିବେ ନାହିଁ। (୨) ସାମାଜିକ ଦୂରତା :- ଅତିକମ୍‌ରେ ୧ ମିଟରବା ଦୁଇ ଗଜ ବା ଛ’ଫୁଟ୍ ଦୂରତାରେ ରହି କାରବାର କଲେ, ଏହା ଜଣକ ଠାରୁ ଅନ୍ୟଜଣକ ପାଖକୁ ଯାଇପାରିବ ନାହିଁ। ଫଳତଃ ଶୃଙ୍ଖଳ ବା ଚେନ୍‌ଛିଡି ଯିବ। (୩) ବାରମ୍ବାର ସାନିଟାଇଜର ଦ୍ୱାରା ହାତ ଧୋଇବା :- ଏହାଦ୍ୱାରା ଆମ ଅଜାଣତରେ ଆସି ଯାଇଥିବା ଜୀବାଣୁ, ଭୂତାଣୁ ନଷ୍ଟ ହୋଇଯିବେ।

ଏଠାରେ ସାମାଜିକ ଦୂରତା ବା ସୋସିଆଲ୍‌ ଡିଷ୍ଟାନସିଂ କଥା ମନକୁ ଆସିଲେ, ଆମ ଓଡିଆ ସମାଜର ଚଳଣୀକୁ ଧନ୍ୟବାଦ ଦେଉଛି। ଆମର ପୂର୍ବ ସମାଜବିଜ୍ଞାନୀମାନେ କେତେ ଦୂରଦୃଷ୍ଟିର ସହିତ ଏହାକୁ ପ୍ରଚଳନ କରିଛନ୍ତି !! ସମ୍ଭାବିତ ବିପଦକୁ ଆଖି ଆଗରେ ରଖି ସେମାନେ କହିଛନ୍ତି :- ଭାଇବୋହୂ (ସାନଭାଇର ପତ୍ନୀ) – ଦେଢଶୁର (ସ୍ୱାମୀଙ୍କର ବଡଭାଇ), ଦେଢଶାଶୁ (ସ୍ତ୍ରୀର ବଡଭଉଣୀ) – ଭଉଣୀ ଜ୍ୱାଇଁ (ସାନଭଉଣୀର ସ୍ୱାମୀ), ଭଣଜା ବୋହୂ (ଭଣଜାର ପତ୍ନୀ), ମୌଳାଶୁର (ସ୍ୱାମୀଙ୍କ ମାମୁଁ) ପରସ୍ପରକୁ ଛୁଇଁବେ ନାହିଁ । କାରଣ ଏମାନଙ୍କ ମଧ୍ୟରେ ବୟସର ତଫାତ୍‌ କମ୍ ଥାଏ; ମଣିଷର ସହଜାତ ପ୍ରବୃତି ଯୋଗୁଁ ବିପଦ ଆସିପାରେ। ଆହୁରି ବଡ କଥା, ଏକ ଜୀବନ୍ତ ଓଡିଆ ସମାଜ ଆଜି ପର୍ଯ୍ୟନ୍ତ ଏହାମାନି ଚଳି ଆସୁଛି। ଜୀବନ ରକ୍ଷା ପାଇଁ, ଏକ ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଆମେ କାହିଁକି ସାମାଜିକ ଦୂରତା ରକ୍ଷାକରି ପାରିବା ନାହିଁ ? ଏହାସହିତ ଆଉ ଗୋଟିଏ କଥା ନିୟମ ସମସ୍ତେ ମାନିବା। ଅତି ଦରକାର ନଥିଲେ, ଘରୁବାହାରିବା ନାହିଁ।

ଶେଷରେ ଏତିକି କହିବି ଯଦି ଆମେ ଆମର ପ୍ରକୃତ ଆତ୍ମବଳକୁ ଚିହ୍ନିପାରୁଁ ଓ ପ୍ରୟୋଗ କରିପାରୁଁ ତେବେ କରୋନା ତ ତୁଚ୍ଛ, ଆହୁରି ମହାମହା ବେମାରୀ ଆମ ଭିତରକୁ ପ୍ରବେଶ କରିପାରିବେ ନାହିଁ। କରୋନାଯୋଦ୍ଧା ! ଆପଣଙ୍କୁ ଶତଶତ ଆନ୍ତରିକ ଧନ୍ୟବାଦ। ସର୍ବେସନ୍ତୁ ନିରାମୟାଃ

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର
ଜିଲ୍ଲା : ଯାଜପୁର
ମୋ : ୯୯୩୭୫୯୩୪୯୩

ମତାମତ ଦିଅନ୍ତୁ ।